ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିସନର ଭାବେ ନିଯୁକ୍ତି ପାଇଛନ୍ତି । ଚୟନ କମିଟିର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତାହା ପୂର୍ବରୁ ଜୁନ୍ ମାସରେ ଏହି ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଆବେଦନର ଶେଷ ତାରିଖ ଥିଲା ଜୁଲାଇ ୩୧ । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବିଳମ୍ବରେ ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ।
କଟକ ଜିଲ୍ଲାର ଭେଡ଼ାରେ ଜନ୍ମିତ ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ବ୍ୟାଚ୍ ତାମିଲାନାଡୁ କ୍ୟାଡରର ଆଇପିଏସ୍ ଅଫିସର । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଦୀର୍ଘ ୩୦ ବର୍ଷର ଚାକିରି କାଳ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ଚେନ୍ନାଇ ପୁଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ତାମିଲନାଡୁର ପୁଲିସ ଡିଜି ଭାବେ ସେ ଚାକିରିରୁ ଅବସର ନେଇଥିଲେ ।
ସୂଚନାଯୋଗ୍ୟ, ୨୦୦୫ ନଭେମ୍ବରରେ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ଅବରପ୍ରାପ୍ତ ଆଇଏଏସ୍ ଡି.ଏନ.ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ପରେ ଅବସରପ୍ରାପ୍ତ ଆଇଏଏସ୍ ତରୁଣକାନ୍ତି ମିଶ୍ର ଏବଂ ତାଙ୍କ ପରେ ଅବସରପ୍ରାପ୍ତ ଆଇଆରଏସ୍ ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରି ଗତ ଅଗଷ୍ଟରେ ଅବସର ନେଇଥିଲେ ।