ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ, ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକା ଜୟନ୍ତୀ ପଟ୍ଟନାୟକ ଆଉ ନାହାନ୍ତି । ୯୦ ବର୍ଷ ବୟସରେ ସେ ଆଖି ବୁଜି ଦେଇଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । ଆଜି ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିବାରୁ ଗଙ୍ଗନଗରରେ ଥିବା ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚିପାରି ନ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଗଞ୍ଜାମ ଜିଲ୍ଲା ଆସ୍କାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ । ତାଙ୍କର ପିତା ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ । କଟକ ଶୈଳବାଳା ମହିଳା କଲେଜରୁ ଦର୍ଶନ ଓ ସଂସ୍କୃତିରେ ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବମ୍ବେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସର ସମାଜ ବିଜ୍ଞାନରେ ଏମଏ ପାସ୍ କରିଥିଲେ । ୧୯୫୩ ମସିହାରେ ଜାନକୀ ବାବୁଙ୍କ ସହ ତାଙ୍କର ବିବାହ ହୋଇଥିଲା । ସାହିତ୍ୟ ଓ ସମାଜ ସେବାରେ ନିଜକୁ ବ୍ରତୀ କରିଥିଲେ ।
୧୯୮୦ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କଟକ ଲୋକସଭା ଆସନରୁ ଲାଗ ଲାଗ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ଏବଂ ୧୯୯୮ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା(୧୯୯୨-୧୯୯୫) ଥିଲେ ।
କେବଳ ରାଜନୀତି ଓ ସମାଜସେବା ନୁହେଁ, ଜଣେ ସୁସାହିତ୍ୟିକା ଓ ଅନୁବାଦିକା ଥିଲେ । ମହାଭାରତ କାହାଣୀ ଏବଂ ଜେ ଏମ ମୁନସୀଙ୍କ କୃଷ୍ଣବତାରର ଓଡ଼ିଆ ଅନୁବାଦ ତାଙ୍କର ଶ୍ରେଷ୍ଠ କୃତୀ ।
ତାଙ୍କର ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ଓ ଦୁଇ ଝିଅ ଅଛନ୍ତି ।
ଶ୍ରୀମତୀ ପଟ୍ଟନାୟକଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ଶେଷଦର୍ଶନ ପାଇଁ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଭିଡ଼ ହୋଇଛି । ଆସନ୍ତାକାଲି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।