ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାନ୍ତି । ଆଜି ସଂଧ୍ୟାରେ ଭୁବନେଶ୍ୱର ଉପକଣ୍ଠ ଜାଆଁଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ୬୪ ବର୍ଷ ହୋଇଥିଲା । ଓଡ଼ିଶା ସାମ୍ବାଦିକ ଜଗତର ଏହି ଜଣାଶୁଣା ସାମ୍ବାଦିକଙ୍କ ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଦେଇଛି ।ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଆଜି ସଂଧ୍ୟା ୭ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରୀ ମଙ୍ଗରାଜ ତାଙ୍କ ଗାଁ ଜଙ୍କିଆ ନିକଟସ୍ଥ ସରପାରିରୁ ଏକ ସ୍କୁଟିରେ ଭୁବନେଶ୍ୱର ଫେରୁଥିଲେ । ଜାଆଁଳା ନିକଟରେ ତାଙ୍କ ସ୍କୁଟିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଶ୍ରୀ ମଙ୍ଗରାଜ ଗଭୀର ଭାବେ କ୍ଷତାକ୍ତ ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପୁଲିସ ଏବଂ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଏମସ୍ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।
ଜୀମୂତ ମଙ୍ଗରାଜ ତାଙ୍କ ସାମ୍ବାଦିକତା କ୍ୟାରିୟର୍ ରେ ଶୀର୍ଷକୁ ଯାଇଥିଲେ । ସମ୍ବାଦ ଓ ପ୍ରଜାତନ୍ତ୍ର ଭଳି ପ୍ରତିଷ୍ଠିତ ଖବରକାଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କରି ସମ୍ପାଦନାରେ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ରାଜନୈତିକ କାଗଜ ‘ନେତା’ । ଏହା ପାଠକଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଥିଲା । କେବଳ ସାମ୍ବାଦିକତା ନୁହେଁ, ଶ୍ରୀ ମଙ୍ଗରାଜ ଅନେକ ରାଜନୈତିକ ପୁସ୍ତକ ରଚନା କରିଥିଲେ । ବିଜୁ ବାବୁଙ୍କ ଉପରେ ତାଙ୍କର ପୁସ୍ତକ ସମସ୍ତଙ୍କର ଆଦୃତ ଲାଭ କରିଥିଲା । ଅଧ୍ୟୟନ ଓ ଗବେଷଣା ପାଇଁ ସେ ତିନି ତିନିଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ ।
ବେଶ୍ ଖୁସି ମିଜାଜ ଓ ମେଳାପୀ ମଣିଷ ଥିଲେ ଜୀମୂତ ମଙ୍ଗରାଜ । ତାଙ୍କର ନିଆରା କଥାବାର୍ତ୍ତା ଓ ଚାଲିଚଳଣ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଓଡ଼ିଶା ସାମ୍ବାଦିକ ଜଗତର ସେ ଥିଲେ ଅନ୍ୟତମ ମୁରବୀ । ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପିତ କରି ତାହାର ସମାଧାନ ପାଇଁ ଉଦ୍ୟମ କରୁଥିଲେ । ସଚିବାଳୟ ସାମ୍ବାଦିକ ସଂଘର ସେ ନେତୃତ୍ୱ ନେଉଥିଲେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ମଧ୍ୟ ସେ ସଂପୃକ୍ତ ଥିଲେ ।
୭ ବର୍ଷ ତଳେ ଜୀମୂତ ମଙ୍ଗରାଜଙ୍କର ପତ୍ନୀ ବରିଷ୍ଠ ସାମ୍ବାଦିକା ତଥା ଲେଖିକା ଜୋତ୍ସ୍ନା ରାଉତରାୟଙ୍କର ପରଲୋକ ଘଟିଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।