ଭବାନୀପାଟଣା(ମିଡ୍ ଡେ ଓଡ଼ିଶା): ଜୁନାଗଡ ହେଉଛି କଳାହାଣ୍ଡି ଜିଲ୍ଲାର ସବୁଠାରୁ ବଡ଼ ବ୍ଲକ୍ । ୩୪ଟି ଗ୍ରାମ ପଞ୍ଚାୟତ ଏବଂ ଗୋଟିଏ ଏନଏସିକୁ ନେଇ ଏହା ଗଠିତ । କୃଷି କ୍ଷେତ୍ରରେ ଜୁନାଗଡ଼ କଳାହାଣ୍ଡିର ଗଡ଼ ବୋଲି କୁହାଯାଏ । କୃଷି ବିଭାଗ ତରଫରୁ ଏହି ବ୍ଲକ୍ ରେ ଜଣେ ବ୍ଲକ୍ କୃଷି ଅଧିକାରୀ(ବିଏଓ) ଓ ଦୁଇଜଣ ସହକାରୀ କୃଷି ଅଧିକାରୀ(ଏଏଓ) ରହିବା କଥା । ମାତ୍ର ଏବେ ଜଣେ ମାତ୍ର ଏଏଓଙ୍କ ହାତରେ ବ୍ଲକ୍ ଦାୟିତ୍ୱ ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କିଛି ଦିନ ତଳେ ଜୁନାଗଡ଼ ବ୍ଲକ୍ କୃଷି ଅଧିକାରୀ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଯାଇଛନ୍ତି । ଦୁଇ ଜଣ ସହକାରୀ କୃଷି ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନ୍ ରେ ଜୟପାଟଣା ବ୍ଲକ୍ କୁ ପଠାଯାଇଛି । ଫଳରେ ଜଣେ ମାତ୍ର ଏଏଓଙ୍କ ହାତରେ ବର୍ତ୍ତମାନ ରହିଛି ଜୁନାଗଡ଼ ବ୍ଲକ୍ ।
ଜୁନାଗଡ଼ରୁ ଜୟପାଟଣାକୁ ଡେପୁଟେସନ୍ ରେ ଆସିଥିବା ଏଏଓଙ୍କ ଭାଗ୍ୟ ଏବେ ଜଳୁଛି । ତାଙ୍କ ଘର ସେହି ଜୟପାଟଣା ବ୍ଲକ୍ ରେ ହୋଇଥିବାରୁ ସରକାର ତାଙ୍କୁ ଘରୁ ଅଫିସ ଯିବା ଆସିବା କରିବାର ସୁବିଧା ଦେଇଥିବା ବେଳେ ତାଙ୍କର ଭବିଷ୍ୟତ ଉଜ୍ଜଳର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଜୟପାଟଣାରେ ଅବସ୍ଥାପିତ ଥିବା ବ୍ଲକ୍ କୃଷି ଅଧିକାରୀ ଇତିମଧ୍ୟରେ ଅବସର ନେଇଥିବାରୁ ତାଙ୍କ ଦାୟିତ୍ୱ ମଧ୍ୟ ପାଇଛନ୍ତି ସେହି ବାବୁ । ଅର୍ଥାତ୍ ଜୟପାଟଣାକୁ ଡେପୁଟେସନରେ ଆସିଥିବା ଏଏଓଙ୍କୁ ବିଏଓ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ରୋଚକ କଥା ହେଉଛି, ସେହି ଜୟପାଟଣା ବ୍ଲକ୍ ରେ ଅନ୍ୟ ଜଣେ ଏଏଓ ଇତିମଧ୍ୟରେ ପୋଷ୍ଟିଂ ହୋଇସାରିଥିଲେ ମଧ୍ୟ ସଂପୃକ୍ତ ଜୁନାଗଡ଼ର ଏଏଓଙ୍କୁ ଜୟପାଟଣା ବ୍ଲକ୍ ରେ ଅବସ୍ଥାପିତ କରି ରଖିବା ସିଡିଏଓଙ୍କ ସ୍ୱଚ୍ଛତା ପ୍ରତି ସନେ୍ଦହ ସୃଷ୍ଟି କରୁଛି ।
ଜୟପାଟଣା ଏଏଓଙ୍କୁ ଜୟପାଟଣାର ଦାୟିତ୍ୱ ଦେଇ ତୁରନ୍ତ ଜୁନାଗଡ଼ର ଏଏଓଙ୍କ ଡେପୁଟେସନକୁ ବାତିଲ କରି ଜୁନାଗଡ଼ରେ ଅବସ୍ଥାପିତ କରିବା ପାଇଁ ଚାଷୀମାନେ ଦାବି କରୁଛନ୍ତି ।
ସଂପୃକ୍ତ ଏଏଓ ନିଜ ସ୍ଥାନ ଜୁନାଗଡ଼କୁ ନ ଫେରାଇ ଏ ପର୍ଯ୍ୟନ୍ତ ଜୟପାଟଣାରେ ଅବସ୍ଥାପିତ କରିବା ପଛରେ ଜିଲ୍ଲା କୃଷି ଅଧିକାରୀଙ୍କ କ’ଣ ସ୍ୱାର୍ଥ ରହିଛି ତାହା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।