ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟ ଆଜି ବିଜେପିରୁ ରାଜ୍ୟସଭା ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟସଭା ବିଜେପି ଖାତାରେ ଆଉ ଗୋଟେ ସଂଖ୍ୟା ଯୋଡି ହେଉଥିବାରୁ ବିଜେପି ଶିବିର ଭାରି ଉତ୍ସାହିତ । ବିଜେପିଠାରୁ ଆହୁରି ଅଧିକ ଉତ୍ସାହିତ ହୋଇଛନ୍ତି ଓଡ଼ିଆ ଟିଭି ଚାନେଲ୍ । ଖବରକାଗଜରେ ସିଙ୍ଗଲ୍ କଲମ୍ ନ୍ୟୁଜ୍ କୁ କମ୍ ପଡୁଥିବା ଆଜିର ନାମାଙ୍କନ ପର୍ବକୁ ଘଣ୍ଟା ଘଣ୍ଟା ଧରି ଲାଇଭ୍ କରିଛନ୍ତି । ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ପରଠାରୁ ଆଜି ନାମାଙ୍କନ ଭରିବା ପର୍ଯ୍ୟନ୍ତ ସେଇ ଗୋଟିଏ ଖବର । ସତେ ଯେମିତି ଦେବାଶିଷ ବିଜେପିକୁ ଚାଲିଗଲା ପରେ ବିଜେଡି ଅନାଥ, ଦୁର୍ବଳ ହୋଇଗଲା । ୨୦୨୯ ନିର୍ବାଚନ ବେଳକୁ କଙ୍କାଳ ହୋଇଯାଇଥିବ । ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାୟକଙ୍କ ଖୁସି କହିଲେ ନ ସରେ । ଦେବାଶିଷଙ୍କୁ ପାଇବା ଖୁସିରେ ସୁରେଶ ବାବୁ ବିଜେଡିକୁ ଅଲ୍ ଆଉଟ୍ ନୋଟିସ୍ ଦେଇଛନ୍ତି । ଦୁଇବର୍ଷ ଶାସନରେ ନିଜ ଘର ବୁଡ଼ି ପାଣି ଆଣ୍ଠୁଏ ହୋଇସାରିଥିବା ବେଳେ ପର ବଳରେ ଓଡ଼ିଶାରେ ୩୦ ବର୍ଷ ଶାସନ କରିବାକୁ ବିଜେପି ସ୍ୱପ୍ନ ଦେଖିଛି ।
ଦେବାଶିଷଙ୍କ ନାମାଙ୍କନ ଦାଖଲ ଅବସରରେ ସୁରେଶ ପୂଜାରୀ କହିଛନ୍ତି ଯେ ବିଜେଡିରୁ ଗୋଟିଏ ପରେ ଗୋଟେ ୱିକେଟ୍ ପତ୍ତନ ଚାଲିଛି । ଯଦି ଏମିତି ଚାଲେ ଗୋଟେ ସମୟ ଆସିବ ଏମାନେ ଅଲ୍ ଆଉଟ୍ ହୋଇଯିବେ । ଗଣତନ୍ତ୍ରରେ ଗୋଟେ ଦଳ ଥିଲା ଯିଏ ୨୫ ବର୍ଷ ଓଡ଼ିଶାରେ ଶାସନ କରିଥିଲା, ସେ ଲୁପ୍ତ ପ୍ରାୟ ହୋଇଯିବ । ଗଣତନ୍ତ୍ରରେ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ବିନା ବିଚାରାଧାରାରେ କ୍ଷମତା ସର୍ବସ୍ୱ ଦଳ କେବେ ଦୀର୍ଘାୟୁ ହୋଇନାହିଁ । ବିଜେଡିରୁ ବରିଷ୍ଠ ନେତାମାନେ ଯେଭଳି ଦଳ ଛାଡୁଛନ୍ତି ଦଳ ବିଲୟମୁହାଁ ହୋଇସାରିଲାଣି ।
ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୁରେଶ ପୂଜାରୀଙ୍କୁ ଜବାବ ଦିଆଯାଇଛି । ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଗୋଟି ଗୋଟି କରି ଜବାବ ଦେଇଛନ୍ତି ।
ବିଜେପି ରାଜ୍ୟରେ ଶାସନକୁ ଆସିବା ପରେ ଗତ ଦୁଇ ବର୍ଷ ମଧ୍ୟରେ ଦୁର୍ବଳ ନେତୃତ୍ୱ, କୁଶାସନ, ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆସନ୍ତୁ ବୋଲି ଚାହୁଁଛନ୍ତି । ଏବେ ଏକ ସର୍ଭେରେ କୁହାଯାଇଛି ଯେ, ଯଦି ବର୍ତ୍ତମାନ ନିର୍ବାଚନ ହୁଏ । ତାହା ହେଲେ ବିଜେଡି ୮୦ରୁ ଅଧିକ ଆସନ ଜିତିବ ଏବଂ ବିଜେପି ଧରାଶାୟୀ ହେବ । ସର୍ଭେ ରିପୋର୍ଟରେ ବିଜେଡି ବିପୁଳ ବିଜୟ ହାସଲ କରିବ ବୋଲି ଜଣାପଡିବା ପରେ ଏହି ଭୟ ଓ ଅସ୍ଥିରତା ହିଁ ବିଜେପିକୁ “ପାନିକ୍ ମୋଡ୍’ରେ ପହଞ୍ଚାଇଛି । ଦଳ ଭିତରେ ନେତୃତ୍ୱ ସଙ୍କଟ ଓ ଅର୍ନ୍ତଦ୍ୱନ୍ଦ୍ୱ ବଢ଼ିବାରୁ ବିଭିନ୍ନ ଦଳର ନେତାମାନଙ୍କୁ ପ୍ରଲୋଭନ ଦେଇ ଆଣିବାର ଅପଚେଷ୍ଟା କରାଯାଉଛି । ଯାହାର ସଦ୍ୟତମ ଉଦାହାରଣ ହେଉଛନ୍ତି ଦେବାଶିଷ ସାମନ୍ତରାୟ ।
ସାରା ଦେଶରେ ୱାସିଂ ମେସିନ ଧରି ବୁଲୁଥିବା ବିଜେପି ଆଜି ବିଚାରାଧାରା କଥା କହିବା ସବୁଠାରୁ ହାସ୍ୟସ୍ପଦ କଥା । ଦେବାଶିଷ ସାମନ୍ତରାୟ ଯେତେବେଳେ ବିଜେଡିରେ ଥିଲେ ବିଜେପିକୁ ଅତ୍ୟନ୍ତ କଟୁ ଭାଷାରେ କହୁଥିଲେ । ସେତେବେଳେ କୁଆଡେ ଯାଇଥିଲା ବିଚାରାଧାରା?
ବର୍ତ୍ତମାନ ରାଜ୍ୟରେ ବେକାରୀ, ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଆଇନଶୃଙ୍ଖଳାର ଅବନତି ଭଳି ଗୁରୁତର ସମସ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ସେଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ବିରୋଧୀ ଦଳକୁ ନେଇ ରାଜନୈତିକ ଚର୍ଚ୍ଚାରେ ବ୍ୟସ୍ତ ରହିଛନ୍ତି । ଓଡ଼ିଶାର ଲୋକ ଆଜି ମଧ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା ରଖିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରଖିବେ । ଓଡ଼ିଶାର ବିକାଶ, ସ୍ୱାଭିମାନ ଓ ଲୋକହିତକରକୁ ସର୍ବାଧିକ ଗୁରୁତ୍ୱ ଦେଇ ବିଜୁ ଜନତା ଦଳ ପୁଣି ଥରେ କ୍ଷମତାକୁ ଆସିବ ।