ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍ ଓ କିସ୍ ସହଯୋଗରେ କିସ୍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ନିକଟରେ କିଟ୍-କିସ୍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍ଜିଏମ୍ଏ) ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଳାକୁମ୍ଭ ଆଜି ଶେଷ ହୋଇଛି। ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍ ଓ କିସ୍ ରେ ଅନୁଷ୍ଠିତ ହୋଇଥିଲା।

ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ଚାଲିଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଥିଲେ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କଳାକୁମ୍ଭ ଅନୁଷ୍ଠିତ ହେଇଥିଲା। ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିଛନ୍ତି। ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ପ୍ରଦର୍ଶନ କରାଯିବ। ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍ ଓ କିସ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା।

ଆଜି କିସ୍ ପରିସରରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ବିଶିଷ୍ଟ ସ୍ଥପତି ତଥା କିଟ୍ ଆର୍କିଟେକଚର ସ୍କୁଲ୍ର ନିର୍ଦ୍ଦେଶକ ଏସ ଏସ୍ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।







