ଭୁୁବନେଶ୍ୱର: ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ପ୍ରାୟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ‘କାଳିଆ’ ଟଙ୍କା । କାଳିଆ ଯୋଜନାରେ ମୁଣ୍ଡ ପିଛା ଚାଷୀ ପାଇବେ ୨ ହଜାର ଟଙ୍କା । ଏ ବାବଦରେ ମୋଟ ୮୦୦ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର୍ ହେବ । ଅପରାହ୍ନ ୫ଟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ବଣ୍ଟନ କରିବେ ବୋଲି ଜଣାପଡ଼ିଛି ।
କାଳିଆ ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ରବି ଫସଲ ପାଇଁ ୨ ହଜାର ଟଙ୍କା ଏବଂ ଖରିଫ୍ ଫସଲ ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ପ୍ରତିବର୍ଷ ଅକ୍ଷୟ ତୃତୀୟ ଏବଂ ନୂଆଖାଇ ପର୍ବରେ ଚାଷୀମାନଙ୍କୁ ଏହି ସହାୟତା ଦିଆଯାଉଛି ।
ସୂଚନାଥାଉକି, ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖରେ ଏହି ଯୋଜନାର ଅବଧି ସରୁଥିଲେ ମଧ୍ୟ ରାଜ୍ୟ ସରକାର ଯୋଜନାର ଅବଧିକୁ ଆଉ ୩ ବର୍ଷ(୨୦୨୧-୨୨ ରୁ ୨୦୨୩-୨୪) ବୃଦ୍ଧି କରିଛନ୍ତି । ଏଥିପାଇଁ ୫,୯୩୩.୩୧ କୋଟି ଟଙ୍କାର ବଜେଟ୍ ଅନୁମୋଦନ କରାଯାଇଛି ।