ଭୁବନେଶ୍ୱର: ସତକଥା ହେଉଛି, ଦେଶ ସେବା କରିବାକୁ କେହି ଗଣମାଧ୍ୟମ ବ୍ୟବସାୟରେ ପଶିନାହାନ୍ତି । ନିଜର କୌଣସି ନା କୌଣସି ସ୍ୱାର୍ଥର ସୁରକ୍ଷା ପାଇଁ ଏହି ବ୍ୟବସାୟରେ ଟଙ୍କା ଖଟାଇଛନ୍ତି । ନିଜର ବ୍ୟବସାୟିକ ଅଥବା ରାଜନୈତିକ ସ୍ୱାର୍ଥର ସୁରକ୍ଷା ତଥା କ୍ଷମତା ଜାହିର ପାଇଁ ଗଣମାଧ୍ୟମ ମାଲିକ ଅଜସ୍ର ଟଙ୍କା ସାରୁଛନ୍ତି । ତେଣୁ କରି କୌଣସି କାରଣରୁ ମାଲିକ ଯଦି ବିପଦରେ ପଡ଼େ ତାଙ୍କ ସୁରକ୍ଷାରେ ସେହି ଗଣମାଧ୍ୟମ ଢ଼ାଲ ହେବା ନିହାତି ସାଧାରଣ କଥା ।
ହେଲେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଟିଭିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ତାହା ପରର ଅଘଟଣ ଖବର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମିଡିଆରେ ଛାଇ ଯାଇଥିବା ବେଳେ ମାଲିକ ଅଚ୍ୟୁତଙ୍କ ସମ୍ମାନ ରକ୍ଷା କରିବାରେ କଳିଙ୍ଗ ଟିଭି ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଏହି ଅନୁଷ୍ଠାନର ଜଣଙ୍କ ବି ମୁହଁରୁ କିଟ୍ କିମ୍ବା ଅଚ୍ୟୁତଙ୍କ ସପକ୍ଷରେ ପଦେ କଥା(ବାଇଟ୍) ଆଣିବାକୁ ତାଙ୍କ ମିଡିଆ ଆଗ୍ରହ ଦେଖାଇନାହିଁ । କିଟ୍ କୁ ବଦନାମରୁ ରକ୍ଷା କରିବାକୁ ଗୋଟିଏ ପ୍ୟାକେଜ୍ ଷ୍ଟୋରି ବି କରିପାରିନାହାନ୍ତି ।
କଳିଙ୍ଗ ଟିଭି ଏମଡି ଏବଂ ମୁଖ୍ୟ ସମ୍ପାଦକଙ୍କର ଘର ଢ଼ିଙ୍କି କୁମ୍ଭୀର ପଣିଆକୁ ନେଇ କିଟ୍ ପରିବାରରେ ତୀବ୍ର ଅସନ୍ତୋଷ ସୃଷ୍ଟି ପରେ ଆଜି(ଗୁରୁବାର) ସେମାନଙ୍କର ଅବଶ୍ୟ ଟିକେ ଚେତା ପଶିଛି । କିଟ୍ ଏବଂ ଅଚ୍ୟୁତଙ୍କ ସପକ୍ଷରେ କ୍ୟାମ୍ପସ୍ ରୁ ଗୋଟେ ଅଧେ ବାଇଟ୍ ଯୋଗାଡ଼ କରି କାମଚଳା ଖବର ପ୍ରସାରଣ ଆରମ୍ଭ କରାଯାଇଛି । ଏଥିରେ ସାମ୍ବାଦିକତାର ବୁଦ୍ଧି କମ ଏବଂ ଚାକିରି ବଞ୍ଚେଇବାର କୌଶଳ ଅଧିକ ଥିବା ଚର୍ଚ୍ଚା ହେଉଛି ।
ସୂଚନାଥାଉକି, କଳିଙ୍ଗ ଟିଭି ମୁଖ୍ୟ ସମ୍ପାଦକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଖବରଦାତା । ଖାଲି ରାଜ୍ୟ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ଖବର ଉପରେ ତାଙ୍କର ଗଭୀର ଜ୍ଞାନ ଅଛି । ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କର ଯଥେଷ୍ଟ ପତିଆରା ଅଛି । ବ୍ରେକିଂ ଖବର ପାଇବା ପାଇଁ ସାମ୍ବାଦିକମାନେ ତାଙ୍କର ଟୁଇଟ୍(ଏକ୍ସ)କୁ ଚାହିଁ ବସନ୍ତି । ବିଜେଡ଼ି ସରକାର ଅମଳରେ ତୃତୀୟ ମହଲାର ସେ ଥିଲେ ଗେହ୍ଲା ପୁଅ । ବିଭାଗୀୟ ମନ୍ତ୍ରୀ କି ସଚିବ ଜାଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିଷ୍ପତ୍ତି କୁ ସେ ହିଁ ପ୍ରଥମେ ଟୁଇଟ୍ କରୁଥିଲେ । ସରକାରୀ ପ୍ରେସ୍ ରିଲିଜ୍ ଆସିବା ପୂର୍ବରୁ ତାଙ୍କ ହାଣ୍ଡଲରୁ ପ୍ରଥମ ଖବର ଆସୁଥିଲା । ବିଜେଡି ସରକାରର ସେ ଯେ ଅଘୋଷିତ ମୁଖପାତ୍ର ଥିଲେ ତାହା ସମସ୍ତେ ଜାଣନ୍ତି । ଖାଲି ସେତିକି ନୁହେଁ, ତୃତୀୟ ମହଲାର ଆତିଥ୍ୟେୟତା ପାଇବାରେ ସେ ଥିଲେ ସର୍ବାଗ୍ରେ ।
ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାନ୍ନିଧ୍ୟ ପାଇବାକୁ ତାଙ୍କର ବ୍ୟାକୁଳତା ବି ସମସ୍ତେ ଦେଖିଛନ୍ତି ।
ଏମଡିଙ୍କର ସାମ୍ବିଦକତା କ୍ଷେତ୍ରରେ କିଛି ଅଭିଜ୍ଞତା ନାହିଁ । କଳାଜଗତର ସେ ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ । ତେଣୁ ଖବରର ଗୁରୁତ୍ୱ ବୁଝିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଅନ୍ୟପକ୍ଷରେ ଚାନେଲ ମୁଖ୍ୟ ସମ୍ପାଦକଙ୍କ ସହ ତାଙ୍କର ତୁ ତୁ ମେଁ ମେଁ ସମ୍ପର୍କ । ସେହି କାରଣରୁ ଖବରକୁ ନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ନାହିଁ । ଦୋଷ ଠେଲା ଠେଲି ଏବଂ ଗୋଡ଼ ଟଣାଟଣିରେ ଉଭୟଙ୍କର ସମୟ ଯାଏ । କିଟ୍ ଘଟଣାରେ ମାଲିକଙ୍କୁ ସୁରକ୍ଷା ଦେବାରେ ଚାନେଲର ବିଫଳତା ଏହା ଏକ ପ୍ରମୁଖ କାରଣ ବୋଲି ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି ।
ଏମଡି ଏବଂ କରିତକର୍ମା ତାଙ୍କର ମୁଖ୍ୟ ସମ୍ପାଦକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅଚ୍ୟୁତ ଯେ ଜାଣିନାହାନ୍ତି ତାହା ନୁହେଁ । ଏକ ବିଶେଷ କାର୍ଯ୍ୟକ୍ରମରେ ସେ ମୁଖ୍ୟ ସମ୍ପାଦକଙ୍କୁ ଚଢ଼ାଗଳାରେ ଭର୍ତ୍ସନା କରିଥିଲେ । କଡ଼ା ଭାଷାରେ ଛିଗୁଲେଇଥିଲେ । ବର୍ଷେ ତଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ସେହି ବ୍ୟକ୍ତିଙ୍କୁ ମାଲିକ କେମିତି ପୁଣି ଦାୟିତ୍ୱରେ ରଖିଛନ୍ତି ତାକୁ ନେଇ ଅନେକ ଟୀକାଟୀପ୍ପଣୀ ଦେଇଥିଲେ ।
ଏଭଳି ଜଣେ ପାରଙ୍ଗମ ବ୍ୟକ୍ତିଙ୍କ ନେତୃତ୍ୱରେ କଳିଙ୍ଗ ଟିଭି ଚାଲିଥିବା ବେଳେ ମାଲିକଙ୍କ ବିପଦ ବେଳେ ତାଙ୍କ ଆଚରଣ ଅନେକଙ୍କୁ ଚକିତ କରିଛି । ତିନି ଦିନ ଧରି ଟିଭିରେ ମାଲିକଙ୍କ ସପକ୍ଷରେ ଗୋଟିଏ ବି ଖବର କରି ନ ଥିଲେ କି ନିଜର ଏକ୍ସ ହାଣ୍ଡଲରେ ପଦୁଟିଏ ଲେଖି ନ ଥିଲେ । ବିରୋଧୀ ଚାନେଲ୍ ରେ କିଟ୍ ଅନୁଷ୍ଠାନ ଏବଂ ମାଲିକଙ୍କୁ ଘନ ଘନ ଆକ୍ରମଣ ଚାଲିଥିବା ତାର କାଉଣ୍ଟର ଷ୍ଟ୍ରାଟେଜି ନ କରି ଚୁପ୍ ବସି ଯାଇଥିଲେ । କେବଳ କିଟ୍ ପକ୍ଷରୁ ଜାରି ସ୍ପଷ୍ଟୀକରଣ ହିଁ ଥିଲା କଳିଙ୍ଗ ଟିଭି ଖବର ।
କେବଳ ସେ ନୁହଁନ୍ତି ତାଙ୍କ ଟିମ୍ ରେ କାମ କରୁଥିବା ଅନେକ ସଦସ୍ୟ ସୋସିଆଲ୍ ମିଡିଆରେ ସକ୍ରିୟ ଥିଲେ ମଧ୍ୟ ମାଲିକଙ୍କ ସପକ୍ଷରେ ବାହାରି ନାହାନ୍ତି । ଟିଭିରେ କ’ଣ ଖବର ହେବ ନ ହେବ ମୁଣ୍ଡ ପୂରାଇ ନାହାନ୍ତି ।
ଗତକାଲି କିଟ୍ ଅଫିସ୍ ସୂତ୍ରରୁ କଳିଙ୍ଗ ଟିଭି ଅଫିସକୁ ଏଥିନେଇ ତାଗିଦ୍ କରାଯାଇଥିଲା ଏବଂ ତାହା ପରେ ଯାଇ ମୁଖ୍ୟ ସମ୍ପାଦକ ଓ ଅନ୍ୟମାନଙ୍କର ଚୈତନ୍ୟ ଉଦୟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହାପରେ ବାବୁମାନେ ଇଚ୍ଛା ନ ଥିଲେ ମଧ୍ୟ ଗୋଟେ ଲେଖାଏଁ ଟୁଇଟ୍ ରେ କାମ ଚଳେଇଛନ୍ତି ।
ମାଲିକଙ୍କ ବିପଦ ବେଳେ ନିଦାବିଷ୍ଣୁ ସାଜିଥିବା ଉଚ୍ଚ ବେତନଭୋଗୀ ମୁଖ୍ୟ ସମ୍ପାଦକ ଏବଂ ମୋଟା ବେତନଭୋଗୀ କର୍ମଚାରୀମାନଙ୍କ ସମ୍ପର୍କରେ ଇତିମଧ୍ୟରେ କିଛି ସାଂଘାତିକ ତଥ୍ୟ ଅଚ୍ୟୁତ ସାମନ୍ତଙ୍କ ଅଫିସ୍ ର ହସ୍ତଗତ ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି । ନିର୍ଦ୍ଦିଷ୍ଟ କେତେଜଣ ବରିଷ୍ଠ କର୍ମଚାରୀ ନିଜ ପଦବୀର ଅପବ୍ୟବହାର କରି କୁଆଡ଼େ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଦିଗରେ ମନୋନିବେଶ କରିଛନ୍ତି । ଅଫିସ୍ କାମକୁ ତୁଚ୍ଛ କରି ବ୍ୟବସାୟିକ ପ୍ରତିଷ୍ଠାନ ଛିଡ଼ା କରିଛନ୍ତି । ସେଠାରେ ସହକର୍ମୀଙ୍କୁ ଚାକିରି ବି ଦେଇଛନ୍ତି । ଅର୍ଥାତ୍ ଡବଲ ମାଲିକ ସାଙ୍ଗକୁ ଡବଲ ଚାକିରି ମିଳିଯାଇଛି । ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜଣେ ଅଜଣା ବ୍ୟକ୍ତି ଚିଠି ଲେଖି ଅନୁରୋଧ କରିଛନ୍ତି ।
ତେବେ ଓଡ଼ିଶା ଗଣମାଧ୍ୟମ ଜଗତରେ ମାଲିକଙ୍କ ବିପଦ ବେଳେ ସମ୍ପାଦକ ନିରବ ରହିବା କିମ୍ବା ଗାଏବ ହୋଇଯିବା ନୂଆ କଥା ନୁହେଁ । ନିକଟ ଅତୀତରେ ବିଜେଡି ସରକାର ଅମଳରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଭୀଷଣ ବିପଦରେ ପଡ଼ିଥିଲେ । ତାଙ୍କ ଖବରକାଗଜ ଓ ଟିଭି ଅଫିସ ଉପରେ କ୍ରାଇବ୍ରାଞ୍ଚ ଚଢ଼ଉ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ସୌମ୍ୟ ବାବୁ ଇଷ୍ଟର୍ଣ୍ଣ ମିଡିଆ ସଂସ୍ଥାର ଅଧ୍ୟକ୍ଷ ଏବଂ ସମ୍ବାଦ ସମ୍ପାଦକ ପଦ ଛାଡ଼ି ପଳେଇଥିଲେ । ମାତ୍ର ସୌମ୍ୟଙ୍କର ଏହି ବିପଦ ବେଳେ ତାଙ୍କ ଟିଭିର ସମ୍ପାଦକଙ୍କ ଦେଖା ମିଳିଲା ନାହିଁ ।