ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ଉଚ୍ଚସ୍ତରୀୟ କମିଟି ଆଗରେ ଶୁକ୍ରବାର ହାଜର ହୋଇଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ରାଜ୍ୟ ଅତିଥି ଭବନର ସମ୍ମିଳନୀ କକ୍ଷରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ତାଙ୍କୁ ପଚରାଉଚୁରା କରାଯାଇଥିଲା । ଘଟଣା ଦିନ ରାତିରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ର୍ଦୁବ୍ୟବହାର କରିଥିବା ମହିଳା ହଷ୍ଟେଲ୍ ର ନିଲମ୍ବିତ ଦୁଇ ଅଧିକାରୀ ମଞ୍ଜୁଶା ପଣ୍ଡା ଏବଂ ଜୟନ୍ତୀ ନାଥଙ୍କ ସମେତ ୮ ଜଣଙ୍କୁ ମଧ୍ୟ ଜେରା କରାଯାଇଥିଲା ।
ତେବେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ଆସିଥିବା କିଟ୍ ମହିଳା କର୍ମଚାରୀଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି(ସମସ୍ତେ ନୁହଁନ୍ତି)ଙ୍କ ଆକ୍ରୋଶର ସାମନା ହେବାକୁ ପଡ଼ିଥିଲା । ତଦନ୍ତକାରୀ ଅଧିକାରୀ ଭଳି ସେମାନେ ଜେରା କରି ଚାଲିଥିଲେ । କାହାର ବାଟ ଓଗାଳିଥିଲେ ତ ଆଉ କାହାକୁ ବସିବା ଜାଗାରେ ଅଥୟ କରି ଦେଇଥିଲେ । ସଂପୃକ୍ତ ମହିଳା କର୍ମଚାରୀଙ୍କୁ ସାମ୍ବାଦିକମାନେ ଏକ ପ୍ରକାର ଘେରାବନ୍ଦୀ କରିଦେଇଥିଲେ ।
ସାମ୍ବାଦିକଙ୍କ ଜେରା ଓ ହରକତ୍ ର ସମ୍ମୁଖୀନ ହୋଇଥିବା କିଟ୍ ମହିଳା କର୍ମଚାରୀଙ୍କର ବିକଳ ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏଭଳି ଜଣେ କର୍ମଚାରୀ ହେଉଛନ୍ତି ରେଶମ ନୱାଜ । ଛାତ୍ରୀ ଆତ୍ମହତ୍ୟା ମାମଲା ଏବଂ ପରବର୍ତ୍ତୀ ପରିସ୍ଥିତି ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା କି ଘଟଣାବେଳେ ଉପସ୍ଥିତ ନ ଥିଲେ । ହୁଏତ ବିଶ୍ୱବିଦ୍ୟାଳୟ ପରିଚାଳନା ସମ୍ବନ୍ଧରେ କିଛି ତଥ୍ୟ ହାସଲ ପାଇଁ ଉଚ୍ଚସ୍ତରୀୟ କମିଟି ଆଗରେ ତାଙ୍କୁ ହାଜର ହେବାକୁ ପଡ଼ିଥିଲା ।
କମିଟିର ଜେରା ସରିଲା ପରେ ସେ ବାହାରିଲା କ୍ଷଣି ଡର୍ଜନେ ସାମ୍ବାଦିକ ତାଙ୍କୁ ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଯିଏ ଯାହା ପାରିଲେ ପ୍ରଶ୍ନ କରି ଚାଲିଲେ । ମହିଳା କର୍ମଚାରୀଜଣଙ୍କ ବାହାରିବାକୁ ବାଟ ଖୋଜୁଥିଲେ ମଧ୍ୟ ସାମ୍ବାଦିକମାନେ ତାଙ୍କୁ ବାଟ ଛାଡ଼ି ନ ଥିଲେ । ସାମ୍ବାଦିକଙ୍କ ବ୍ୟବହାରରେ ସଂପୃକ୍ତ ମହିଳା ଛାନିଆଁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଲାଇଭ୍ କରୁଥିବା ଜଣେ ଟିଭି ସାମ୍ବାଦିକ ତାଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ଟିପ୍ପଣୀ ଦେଉଥିବା ଦେଖିବାକୁ ମିଳିଥିଲା ।
ସେହିଭଳି ଜେରା ପାଇଁ ଆସିଥିବା ନିଲମ୍ବିତ ହଷ୍ଟେଲ୍ ଅଧିକାରୀ ଜୟନ୍ତୀ ନାଥଙ୍କର ହୋସ୍ ଉଡ଼ାଇ ଦେଇଥିଲେ କିଛି ସାମ୍ବାଦିକ । କମିଟି ଡାକରାକୁ ଅପେକ୍ଷା କରି ବସିଥିବା ବେଳେ ଜୟନ୍ତୀଙ୍କୁ ଘେରି ଯାଇଥିଲେ । ସେଦିନ କାହିଁକି ନେପାଳୀ ଛାତ୍ରୀଙ୍କୁ ର୍ଦୁବ୍ୟବହାର କଲ ତାହାର ଜବାବ ମାଗିଥିଲେ । ଯାହା କହିବା କଥା କମିଟି ଆଗରେ କହିବି ଏବଂ ସମ୍ପୂର୍ଣ୍ଣ ସତ୍ୟ ସାମନାକୁ ଆଣିବି ବୋଲି ସେ କହିବା ସତ୍ତ୍ୱେ ସାମ୍ବାଦିକମାନେ ଶୁଣି ନ ଥିଲେ । ଓଲଟି ଘନ ଘନ ପ୍ରଶ୍ନବାଣରେ ସେ ଚିଡ଼ି ଯିବାରୁ ତାହାକୁ ର୍ଦୁବ୍ୟବହାରର ରୂପ ଦିଆଯାଇ ଟିଭିରେ ବ୍ରେକିଂ ଖବର ହୋଇଥିଲା ।
ଉଲ୍ଲେଖଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟରେ ଯାହା ଘଟିଗଲା ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ଏହା ମଳିନ କରିଛି । କିଟ୍ ବିଶ୍ୱବିଦ୍ୟାଳୟ ଘଟଣା ଓଡ଼ିଶାକୁ ବଦନାମ କରିଛି । ନେପାଳୀ ଛାତ୍ରଛାତ୍ରୀଙ୍କୁ ର୍ଦୁବ୍ୟବହାର କରିଥିବା ଏବଂ ନେପାଳ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ମହିଳା ହଷ୍ଟେଲର ନିଲମ୍ବିତ ଅଧିକାରୀ ଜୟନ୍ତୀ ନାଥ ଏବଂ ମଞ୍ଜୁଶା ପାଣ୍ଡେଙ୍କ ଆଚାର ବ୍ୟବହାର ଦୃଢ଼ ନିନ୍ଦନୀୟ । ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି କ୍ୟାମ୍ପସରୁ ତଡ଼ିଦେବା କିଟ୍ କର୍ତ୍ତୃପକ୍ଷଙ୍କ ଗର୍ବ ଓ ଅହଂକାରକୁ ପଦାରେ ପକାଇଛି ।
ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଉଠୁଛି ପଡୁଛି । ଶୁକ୍ରବାର ଦିନ ମୁଲତବୀ ଆଲୋଚନା ବେଳେ ସବୁ ଦଳର ବିଧାୟକ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ସିଧାସଳଖ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କୁ ଗିରଫ କରିବାକୁ କିଛି ବିଧାୟକ ଦାବି କରିଥିଲେ ।
ସେପଟେ ବିଦେଶ ମନ୍ତ୍ରଣାଳୟ କିଟ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଦେଶୀ ଛାତ୍ରଛାତ୍ରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନେପାଳ ସରକାରଙ୍କ ସହ କଥା ହୋଇଛନ୍ତି । ଓଡ଼ିଶା ସରକାର ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ଥିବା କୁହାଯାଇଛି ।
ସୁତରାଂ ଏହି ଘଟଣାରେ ଭାରତ ସରକାରଙ୍କ ସହ ଓଡ଼ିଶା ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ ଏବଂ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ନେପାଳ ଫେରି ଯାଇଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ମାମଲାର ତଦନ୍ତ ଚଳାଇଛନ୍ତି ।
ଏଭଳି ସମ୍ବେଦନଶୀଳ ଘଟଣାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଯେଉଁ କାଣ୍ଡ ପାଇଁ ଓଡ଼ିଶା ନିନ୍ଦିତ ହୋଇଛି ସେଭଳି କାର୍ଯ୍ୟ ଗଣମାଧ୍ୟମଠାରୁ ଲୋକମାନେ ଆଶା କରିବେ ନାହିଁ । ଗଣମାଧ୍ୟମର ସ୍ୱାଧୀନତା ଆଳରେ ସାମ୍ବାଦିକମାନେ ଅନ୍ୟମାନଙ୍କ ସ୍ୱାଧୀନତା ଛଡ଼ାଇ ଆଣିପାରିବେ ନାହିଁ । ଯେସାକୁ ତେସା ନ୍ୟାୟରେ ସାମ୍ବାଦିକତା ନାଁରେ କିଟ୍ ମହିଳା କର୍ମଚାରୀଙ୍କ ପ୍ରତି କୋ÷ଣସି ପ୍ରକାର ର୍ଦୁବ୍ୟବହାରକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
ଏହି କାରଣରୁ ଓଡ଼ିଶା ପୁଣି ଥରେ ବିଶ୍ୱସ୍ତରରେ ନିନ୍ଦିତ ନ ହେଉ । ସର୍ବୋପରି କାହାରି ବ୍ୟକ୍ତିଗତ ସ୍ୱାର୍ଥସାଧନ ପାଇଁ କିଟ୍ ନିଆଁରେ ଘିଅ ଢ଼ାଳି ଅନୁଷ୍ଠାନରେ କାମ କରୁଥିବା ୧୫ ହଜାର କର୍ମଚାରୀ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବିପଦ ମୁଖକୁ ଟାଣିନେବା ଏକ ଗର୍ହିତ କାର୍ଯ୍ୟ ବୋଲି ସେମାନେ କହିଛନ୍ତି ।