ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀର ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁରରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଉଭୟ ଲୋକସଭା ଓ ବିଧାନସଭାରେ ଦଳୀୟ ପ୍ରାର୍ଥୀଙ୍କୁ ୯୦ ପ୍ରତିଶତ ଭୋଟରେ ଜିତାଇବାକୁ ସେ ନିବେଦନ କରିଛନ୍ତି । ଚାରୋଟି ଜାଗାରେ ଆୟୋଜିତ ସାଧାରଣ ସଭାରେ ସେ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଉଲ୍ଲେଖ କରିବା ସହ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ । ଖାସ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଟାର୍ଗେଟ୍ କରି ପ୍ରଶ୍ନବାଣ ଛାଡ଼ିଛନ୍ତି ।
ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେଲେ। ତାଙ୍କୁ ଅନୁରୋଧ ସେ ମା ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ, ମା ମାନେ ତାଙ୍କୁ ଉଚିତ ଜବାବ ଦେବେ। ଆପଣମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ, ସେମାନେ ଉତ୍ତର ଦେଇପାରିବେ ନାହିଁ।
କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି । କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର ୫-ଟିରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।
ସେ କହିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତି ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି, କିନ୍ତୁ ଶାନ୍ତି ନାହିଁ । ଆମ ମୁଖ୍ୟମନ୍ତ୍ରୀ ଜନଜାତିଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ କରନ୍ତି, ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ । ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏଥିରେ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ କରାଯାଉଛି।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ୱାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି। ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି ।