ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ୧୮ ଲୋକସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା ହୋଇଛି । ତେବେ କେତୋଟି ଜାଗାରେ ପ୍ରାର୍ଥୀତ୍ୱ ବିରୋଧରେ ବିଦ୍ରୋହ ମୁଣ୍ଡ ଟେକିବା ଆରମ୍ଭ ହେଲାଣି । ବାଲେଶ୍ୱର ଆସନ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କୁ ଦ୍ୱିତୀୟ ଥର ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଆଶାୟୀ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ କ୍ଷୁବ୍ଧ ହୋଇଛନ୍ତି । ସେ ଦଳୀୟ ନିଷ୍ପତ୍ତିକୁ ଚାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।
ଆଜି ବାଲେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ନିଷ୍ପତ୍ତି ଜଣାଇଛନ୍ତି । ସେ କହିଛନ୍ତି, ବାଲେଶ୍ୱରରୁ ସେ ୫ ଥର ନିର୍ବାଚନ ଲଢ଼ିସାରିଲେଣି । ୧୯୯୮ ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଥିଲେ । ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ତାଙ୍କ ସମ୍ପର୍କ ଅତୁଟ ଅଛି ଏବଂ ସେ ନିୟମିତ ସେମାନଙ୍କ ସମ୍ପର୍କରେ ଅଛନ୍ତି । ଗତଥର ପାର୍ଟି ତାଙ୍କୁ କନ୍ଧମାରୁ ପ୍ରାର୍ଥୀ କରିଥିଲା । ପାର୍ଟିର ନିଷ୍ପତ୍ତି ମାନି ସେଠାରୁ ଲଢ଼ିଥିଲେ । ଏଥର କନ୍ଧମାଳ ଏବଂ ବାଲେଶ୍ୱର ଯେଉଁଠୁ ଲଢ଼ିଲେ ବି ବିଜୟ ନେଇ ସେ ସୁନିଶ୍ଚିତ ଅଛନ୍ତି । ମାତ୍ର ବାଲେଶ୍ୱରରୁ ସେ ଲଢ଼ିବାକୁ ବହୁ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ପାର୍ଟି ଟିକେଟ୍ ଦେଲାନି । ଏବେ କନ୍ଧମାଳ ଟିକେଟ୍ ଯାଚିଲେ ବି ଯିବେନି । ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଖାରବେଳ କହିଛନ୍ତି ।
ବାଲେଶ୍ୱରରେ ତାଙ୍କ ସପକ୍ଷରେ ଜନମତ ଥିବା ବିଭିନ୍ନ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛନ୍ତି । ତାଙ୍କର ପ୍ରାର୍ଥୀତ୍ୱ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ପଠେଇଥିଲେ । ସେଥିପାଇଁ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାରବେଳ । ତେବେଏକ କୁଚକ୍ରୀ ଗୋଷ୍ଠୀ ପାଇଁ ତାଙ୍କ ଟିକେଟ୍ କଟିଲା ବୋଲି କହିଛନ୍ତି ।
‘ମୋର କନ୍ଧମାଳ ଯିବାର ନାହିଁକି ସାଲିସ କରିବାର ନାହିଁ । ମୁଁ ଜାଣିଛି, ଦଳର ନିଷ୍ପତ୍ତି ବିରୋଧରେ ଗଲେ ମୋତେ ସେମାନେ ବହିଷ୍କୃତ କରିବେ । ମାତ୍ର ମୋର ସେଥିପ୍ରତି ପରବାଏ ନାହିଁ । ମୁଁ ମୋ ଆଡୁ ବିଜେପି ଛାଡ଼ିବାର ନାହିଁ । ଯଦି ସେମାନେ ମୋତେ ବହିଷ୍କାର କରିବେ, କରନ୍ତୁ । ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢ଼ିବି ଏବଂ ଜିତି ସାରିଲା ପରେ ବିଜେପିରେ ଯୋଗଦେବି’ ବୋଲି କହିଛନ୍ତି ଖାରବେଳ ।
ସେହିଭଳି ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଦଳୀୟ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ସେ ଏହାର ପ୍ରତିବାଦରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଏକ ପତ୍ର ଲେଖି ଚେତାବନୀ ଦେଇଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ସେ ଏବଂ ତାଙ୍କର ସମର୍ଥକମାନେ ଦଳୀୟ କାର୍ଯ୍ୟରୁ ବିରତ ରହିବେ ବୋଲି ଜଣାଇ ଦେଇଛନ୍ତି । ଏହାକୁ ନେଇ ନବରଙ୍ଗପୁର ବିଜେପି ରାଜନୀତି ସରଗରମ ହୋଇଉଠିଛି ।
ସୂଚନାଯୋଗ୍ୟ, ପର୍ଶୁରାମ ମାଝୀ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଲୋକସଭାରେ ସଦସ୍ୟ ଥିଲେ । ୨୦୧୯ରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କଠାରୁ ୫୦ ହଜାର ଭୋଟରେ ହାରିଥିଲେ ।