ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଖୋର୍ଦ୍ଧା ବିଜେପିରେ ଅସନ୍ତୋଷର ନିଆଁ ଜଳିଛି । ଏକଦା ଜେଲ୍ ରେ ତାଙ୍କର ସ୍ଥାନ ନିରୂପଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ଦିଆଯିବ ବୋଲି ଘୋଷଣା କରି ସେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । କାଳୁଚରଣ(କାଳୁ) ଖଣ୍ଡାୟତ ରାୟ ଏବଂ ସମର୍ଥକମାନେ ଆଜି ଭୁବନେଶ୍ୱର ବିଜେପି ମୁଖ୍ୟକାର୍ଯ୍ୟାଳୟ ସାମ୍ନାରେ ଅପରାଜିତା ଏବଂ ଜଗଦ୍ଦେବଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ । ତେବେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ବିକ୍ଷୋଭରୁ ହଟିଥିଲେ ।
ସୂଚନା ଅନୁଯାୟୀ, ବିଜେପିରେ ଯୋଗଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ସାଂସଦ ଅପରାଜିତାଙ୍କ କାନି ଛାଡୁନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କ ଉପରୁ ଗାଡ଼ି ଚଢ଼େଇ ଦେଇଥିବା ଏହି ବାହୁବଳୀ ବିଧାୟକଙ୍କ ଜାଗା ଜେଲ୍ ରେ ବୋଲି ଅପରାଜିତା ଗଣମାଧ୍ୟମରେ ତୁମ୍ବିତୋଫାନ କରିଥିଲେ । ଏବେ ସମୟ ବଦଳିଯାଇଛି । ସେହି ବାହୁବଳୀ ବିଧାୟକଙ୍କୁ ପାଖେ ପାଖେ ରଖୁଛନ୍ତି ଅପରାଜିତା । ବିଧାୟକ ବି ଖରାବର୍ଷା ନ ମାନି ତାଙ୍କ କାନି ଧରିଛନ୍ତି । ଦୁଇଦିନ ତଳେ ସାଂସଦ ଅପରାଜିତା ଏକ ମିଟିଂରେ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ । ଯାହା କି ଗତଥରର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକମାନଙ୍କୁ ଅସହ୍ୟ କରିଥିଲା ।
ସାଂସଦଙ୍କୁ ପ୍ରାର୍ଥୀ ଘୋଷଣା ଅଧିକାର କିଏ ଦେଲା ବୋଲି ଶ୍ରୀ ଖଣ୍ଡାୟତରାୟ ପ୍ରଶ୍ନ କରିଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କଲେ ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ତାଙ୍କ ସମର୍ଥକମାନେ ମଧ୍ୟ ସାଂସଦଙ୍କର ଧଜିଆ ଉଡ଼େଇଛନ୍ତି । ନିର୍ବାଚନରେ ସାଂସଦଙ୍କୁ ଏହା ମହଙ୍ଗା ପଡ଼ିବ ବୋଲି ସେମାନେ ଧମକ ଦେଇଛନ୍ତି ।
ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଚାଲିଥିବା ବେଳେ ବାହାରେ ଖୋର୍ଦ୍ଧା ବିଜେପି କର୍ମୀଙ୍କ ନାରାବାଜି ଚାଲିଥିଲା । ସଭାପତି ଶ୍ରୀ ସାମଲ ଶ୍ରୀ ଖଣ୍ଡାୟତରାୟଙ୍କୁ ଡାକି ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।