ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ୍ କୁମାର ସମ୍ମାନଜନକ ରୟାଲ ଆଷ୍ଟ୍ରୋନୋମିକାଲ୍ ସୋସାଇଟି ଅଫ୍ ଲଣ୍ଡନର ଫେଲୋ ଭାବେ ମନୋନୀତ ହୋଇଛନ୍ତି । ସର୍ବକନିଷ୍ଠ ଭାରତୀୟ ଭାବେ ଏହି ସମ୍ମାନ ଜନକ ଫେଲୋସିପ୍ ପାଇବାରେ ଗୌରବ ଅର୍ଜନ କରିଛନ୍ତି । ସେ କିଟ୍ ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକସ୍ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷ ଛାତ୍ର । ଏହି ସମ୍ମାନଜନକ ସୋସାଇଟିର ଫେଲୋଭାବେ ରହିଆସିଥିବା ଚାର୍ଲସ୍ ବାବେଜ୍ ଏବଂ ୱିଲିୟମ ହର୍ଷଚେଲ୍ଙ୍କ ଭଳି ବିଶ୍ୱର ବିଶିଷ୍ଟ ବୈଜ୍ଞାନିକଙ୍କ ମଧ୍ୟରେ ସ୍ନେହାଦୀପ୍ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି ।
ପୂର୍ବରୁ ଜର୍ଜ ଏଚ୍ ଡ଼ବ୍ଲ୍ୟୁ ବୁଶ୍, ଜେମ୍ସ୍ ଇ କାର୍ଟର, ୱିନ୍ଷ୍ଟନ୍ ଚର୍ଚିଲ୍, ବିଲ୍ କ୍ଲିନ୍ଟନ୍, ପୋପ୍ ବେନେଡ଼ିକ୍ଟ ୧୬, ମହମ୍ମଦ୍ ଅଲ୍ଲୀ, ପ୍ରିନ୍ସେସ୍ ଆନେ, ଆନ୍ସେଲ୍ ଆଡ଼ାମସ୍, ଜର୍ଜ କଲୋନେ, ବବ ଡ଼ାଏଲନ୍ ଏବଂ ୱାଲ୍ଟ୍ ଡ଼ିଜ୍ନେଙ୍କ ଭଳି ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି କେଣ୍ଟୁକିର ସର୍ବୋଚ୍ଚ ଟାଇଟେଲ୍ ସମ୍ମାନ ପାଇଥିଲେ । ଏହି ତାଲିକାରେ ଏବେ ସ୍ନେହାଦୀପ୍ଙ୍କ ନାମ ଯୋଡ଼ି ହୋଇଛି । ଏହା ବ୍ୟତୀତ ତାଙ୍କୁ ଆମେରିକା ସରକାରଙ୍କ ଦ୍ୱାରା କେଣ୍ଟୁକିର ସର୍ବୋଚ୍ଚ ଟାଇଟଲ୍ ସମ୍ମାନ ‘କେଣ୍ଟୁକି କଲୋନେଲ’ ପ୍ରଦାନ କରାଯାଇଛି । କେଣ୍ଟୁକି ରାଜ୍ୟଗୋଷ୍ଠୀ ସୌଜନ୍ୟରୁ ଆମେରିକା ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ଜଣେ କିଶୋର ବୈଜ୍ଞାନିକ ଭାବେ ଜଣାଶୁଣା ସ୍ନେହାଦୀପ୍ ୨୦୨୧ ମସିହାରେ ମେଧାବୀ ପିଲାମାନଙ୍କର ନିଜସ୍ୱ ଗବେଷଣାତ୍ମକ ସର୍ନ୍ଦଭ ପ୍ରକାଶ ନିମନ୍ତେ ଅରୋରା ଏକାଡ଼େମିକ୍ ଜର୍ଣ୍ଣାଲ୍ ନାମରେ ନିଜର ଏକ ଇଣ୍ଟର ଡ଼ିସିପ୍ଲିନାରି ଅନ୍ଲାଇନ୍ ପତ୍ରିକା ଆରମ୍ଭ କରିଥିଲେ । ଯେଉଁ ମେଧାବୀ ପିଲାମାନେ ସେମାନଙ୍କର ନିଜସ୍ୱ ଗବେଷଣାତ୍ମକ ସର୍ନ୍ଦଭ ପ୍ରକାଶ ନିମନ୍ତେ ଅର୍ଥ ଦେଇପାରୁନଥିଲେ ସେଭଳି ପିଲାମାନଙ୍କ ଗବେଷଣାତ୍ମକ ସର୍ନ୍ଦଭ ପ୍ରକାଶ ନିମନ୍ତେ ସ୍ନେହାଦୀପ୍ ନିଜସ୍ୱ ଜର୍ଣ୍ଣାଲ୍ ପ୍ରକାଶ ନିମନ୍ତେ ନିଷ୍ପତ୍ତି ନେଇଥିଲେ ।
ଏହି ଅନ୍ଲାଇନ୍ ପତ୍ରିକାରେ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟରେ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଥାଏ । ସ୍ନେହାଦୀପଙ୍କ ଏହି ୱେବସାଇଟ୍ ଦିନକୁ ୫୦୦ ହିଟ୍ ପାଇଥାଏ । ଏଥିରେ ବିଶିଷ୍ଟ ରସାୟନ ବିଜ୍ଞାନୀ ତଥା ନୋବେଲ୍ ବିଜେତା ଡ. ରବର୍ଟ ଲେଫକ୍ୱିଜ୍, ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୋବେଲ୍ ବିଜେତା ଡ. ଗାରଡାଟ୍ ହୁଫ, ଏବଂ ରୟାଲ୍ ସୋସାଇଟି ଅଫ୍ କେମେଷ୍ଟ୍ରିର ସଭାପତି ଡ. ଟମ୍ ୱେଲ୍ଟନ୍ଙ୍କ ସାକ୍ଷାତକାର ପ୍ରକାଶିତ ହୋଇଛି । ସ୍ନେହାଦୀପ ମିଳିତ ଭାବେ ନେବୁଲା ମହାକାଶ ସଂସ୍ଥା ପ୍ରତିଷ୍ଠା କରିଛନ୍ତି । ଏହା ହେଉଛି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ପ୍ରଥମ ମହାକାଶ ସଂସ୍ଥା । ଏମାନେ ୨୦୨୩-୨୪ ସୁଦ୍ଧା ବିଶ୍ୱର ସବୁଠାରୁ କ୍ଷୁଦ୍ର ମହାକାଶ ଦୂରବୀକ୍ଷଣ ଯନ୍ତ୍ର ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି ।
କେବଳ ସେତିକି ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସ୍ନେହାଦୀପଙ୍କୁ ନିକଟରେ ଲାଇଫୋଲୋଜି ପକ୍ଷରୁ ୫୬ଲକ୍ଷ ଟଙ୍କାର ବୃତ୍ତି ପ୍ରଦାନ କରାଯାଇଛି । ସେ ମଧ୍ୟ ହାବାର୍ଡ ବିଶ୍ୱବିଦ୍ୟାଳୟସ୍ଥିତ ହାବାର୍ଡ କ୍ରିମ୍ସନ୍ ଇଣ୍ଟରପ୍ରିନ୍ୟୁୟରସିପ୍ ସୋସାଇଟିର ଇନୋଭେସନ୍ ଫେଲୋ ଏବଂ ସମ୍ମାନଜନକ ନ୍ୟୁୟର୍କ ଏକାଡେମୀ ଅଫ୍ ସାଇନ୍ସେସ୍ର ଯୁବ ଗବେଷଣା ସଦସ୍ୟ । ମାର୍ଚ୍ଚ ୨୦୨୨ରେ ତାଙ୍କ ଲେଖା ଅନ୍ ଲାଇନ୍ ଖବରକାଗଜ ‘ଗ୍ଲୋବାଲ୍ ଇଣ୍ଡିଆନ୍’ରେ ପ୍ରକାଶିତ ହେବା ପରେ ସେ ‘ଟିନ୍ ସାଇନ୍ଟିଷ୍ଟ’ ଭାବେ ପରିଚିତ ହେଲେ । ଭବିଷ୍ୟତରେ ପଦାର୍ଥ ବିଜ୍ଞାନରେ ଗବେଷଣା କରିବାକୁ ଲକ୍ଷ୍ୟ ରଖିଥିବା ସ୍ନେହାଦୀପଙ୍କ ବାପା ସେଲ୍ରେ କାମ କରୁଥିବାବେଳେ ମା ଜଣେ ଗୃହିଣୀ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ନେହାଦୀପଙ୍କୁ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ସ୍ନେହାଦୀପଙ୍କ ବହୁମୁଖୀ ସଫଳତା ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଥିବା କିଟ୍ର ଶହ ଶହ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।