ଭୁବନେଶ୍ୱର: ବ୍ରଜରାଜନଗରରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ନାଁରେ ମୋହର ମାରିବା ପରେ ଏଆଇସିସି ପକ୍ଷରୁ ଆଜି ଘୋଷଣା କରାଯାଇଛି । ଉପନିର୍ବାଚନରେ ବିଜେଡିର ଅଳକା ମହାନ୍ତି ଏବଂ ବିଜେପିର ରାଧାରାଣୀ ପଣ୍ଡାଙ୍କ ସହ ତାଙ୍କର ଫାଇଟ୍ ହେବ ।
ପୂର୍ବରୁ ୨୦୧୪ ନିର୍ବାଚନରେ କିଶୋର ପଟେଲ ବ୍ରଜରାଜନଗର ବିଧାନ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ବିଜେପିର ବିଜୟୀ ପ୍ରାର୍ଥୀ ରାଧାରାଣୀ ପଣ୍ଡା ୫୦, ୭୩୬ ଭୋଟ ପାଇଥିଲା ବେଳେ ଶ୍ରୀ ପଟେଲ ୩୮, ୧୭୫ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ଅନୁପ ସାଏ ୪୩, ୯୪୬ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଟେଲ ସୁନ୍ଦରଗଡ଼ ଆସନରୁ ୧୯୭୭, ୧୯୮୦ ଏବଂ ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।