କଟକ/ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ ନିର୍ମାଣ ହେଉଥିବା ଏବଂ ଏହା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଏଏସଆଇ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇ ପାରିନାହିଁ । ପ୍ରକଳ୍ପ ପାଇଁ ଅନୁମତି ଦେଇନୁ ବୋଲି ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ସିଧାସଳଖ ଯୁକ୍ତି ଉପସ୍ଥାପନ କରିପାରିନାହିଁ ।
ଏଏସଆଇର ଏହି ଅସ୍ପଷ୍ଟ ତଥ୍ୟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଏଥିସହ ନିର୍ମାଣ ଉପରେ ରହିତାଦେଶ ପାଇଁ ଆବେଦନକାରୀଙ୍କ ପ୍ରାର୍ଥନାକୁ ଗ୍ରହଣ କରିନାହାନ୍ତି । ଅର୍ଥାତ୍ ବର୍ତ୍ତମାନ ସମୟରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ । ଉଭୟ ରାଜ୍ୟ ସରକାର ଓ ଏଏସଆଇ ପ୍ରକଳ୍ପ କାର୍ଯ୍ୟର ମିଳିତ ତଦାରଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ୨୦ ସୁଦ୍ଧା ଏଏସଆଇ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଜୁନ୍ ୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ।
ଏଏସଆଇ ଧାର୍ଯ୍ୟ ସମୟରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ନ ଥିଲା । ଆଜି ଶୁଣାଣି ଦିନରେ ସତ୍ୟପାଠ ଦାଖଲ ହୋଇଥିଲେ ମଧ୍ୟ ସେଥିରେ ପୂର୍ଣ୍ଣତା ନ ଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ନ ଥିବା ଏଏସଆଇ ସତ୍ୟପାଠରେ ଦର୍ଶାଯାଇଛି । ଡିଜାଇନ୍ କୁ ବାରମ୍ବାର ବଦଳା ଯାଇଥିବା ମଧ୍ୟ କୁହାଯାଇଛି । ତେବେ କୋର୍ଟ ଚାହିଁଥିବା ପ୍ରକଳ୍ପର ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ ଦାଖଲ କରିନାହିଁ । ଅର୍ଥାତ୍ ଜାରି ରହିଥିବା ନିର୍ମାଣ ଯୋଗୁଁ ମନ୍ଦିର ପ୍ରତି କିଛି ବିପଦ ଅଛି ନା ନାହିଁ ତାହା ଅଦାଲତକୁ ଜଣାଇ ପାରିନାହିଁ ଏଏସଆଇ ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବିନା ଅନୁମତିରେ ଯଦି ନିର୍ମାଣ ଚାଲିଛି, ତେବେ ଏହାକୁ ବନ୍ଦ କରିବା ପାଇଁ ଆଇନଗତ ଭାବେ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ମଧ୍ୟ ଏଏସଆଇ ଚୁପ୍ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ସୁତରାଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଏଏସଆଇ ନିଜେ ମଧ୍ୟ ଦ୍ୱନ୍ଦରେ ବୋଲି ତା’ କାର୍ଯ୍ୟକଳାପରୁ ବୁଝାପଡିଯାଉଛି । ଆଜି ହାଇକୋର୍ଟ ମଧ୍ୟ ଏଥିନେଇ ବିରକ୍ତିଭାବ ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ବାଦବିବାଦ ଲାଗି ରହିଛି । ଆମସାର ଆଇନକୁ ଉଲ୍ଲଂଘନ କରି ୧୦୦ ମିଟର ପରିଧି ଭିତରେ ବଡ଼ ଖନନ ଓ ନିର୍ମାଣ ଚାଲିଛି ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ପୁରୀର ସାମାଜିକ କର୍ମୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରି ଖନନ ଓ ନିର୍ମାଣ ଉପରେ ରହିତାଦେଶ ଜାରି କରିବାକୁ ଆବେଦନ କରିଛନ୍ତି । ଗତ ଏପ୍ରିଲ୍ ୨୧ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି ଏଏସଆଇକୁ ତଦନ୍ତ ରିପୋର୍ଟ ମାଗିଥିଲେ ।