ଭୁବନେଶ୍ୱର: ବ୍ରଜରାଜନଗରରେ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଉପରେ ମୋହର ମାରିଛନ୍ତି । ଏ ନେଇ ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରାର୍ଥୀ ଶ୍ରୀମତୀ ମହାନ୍ତି ହେଉଛନ୍ତି ଦିବଙ୍ଗତ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କର ପତ୍ନୀ ।
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି କାହାରିକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ନିଜ ଆଡୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ହାଇକମାଣ୍ଡଙ୍କ ପାଇଁ ପ୍ରାର୍ଥୀ ଚୟନ ସେତେ ସହଜ ନ ଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଆଗ୍ରହୀ ଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କର ଜଣେ ସମର୍ଥକଙ୍କୁ ପ୍ରାର୍ଥୀ କରିବା ପାଇଁ ଗୋଟିଚାଳନା କରୁଥିବା ଚର୍ଚ୍ଚା ହୋଇଥିଲା ।
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇତିମଧ୍ୟରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଝାରସୁଗୁଡ଼ା ଯାଇ ଅଳକା ମହାନ୍ତିଙ୍କୁ ତାଙ୍କ ବାସଭବନରେ ଭେଟିବା ରାଜନୈତିକ ପରିସ୍ଥିତିକୁ ଜଟିଳ ମୋଡ ଦେଇଥିଲା । ବିଜେଡି ଅଳକାଙ୍କୁ ପ୍ରାର୍ଥୀ ନ କଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏହା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଥିଲା । ବିଜେଡି ପ୍ରାର୍ଥୀ ଚୟନର ଅଡୁଆ ଖିଅ ଛିଣ୍ଡାଇବା ପାଇଁ ତତ୍ପରତା ଦେଖିବାକୁ ମିଳିଥିଲା ।
ସଭାପତିଙ୍କ ନିର୍ଦ୍ଦେଶରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ନବ ଦାସ, ସୁଶାନ୍ତ ସିଂ ଏବଂ ପର୍ଯ୍ୟବେକ୍ଷକ ସୁବାସ ସିଂହଙ୍କୁ ନେଇ ଝାରସୁଗୁଡ଼ାରେ ଏକ ବୈଠକ କରିଥିଲେ । ସେଥିରେ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ମାନିବେ । ଶେଷର ମୁଖ୍ୟମନ୍ତ୍ରୀ ସମ୍ଭବତଃ ତାଙ୍କ ଦଳର ପରମ୍ପରା ରକ୍ଷା କରି ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛନ୍ତି ।
ଗତକାଲି ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । କଂଗ୍ରେସରୁ କିଶୋର ପଟେଲ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଘୋଷଣା ହୋଇନାହିଁ । ଆସନ୍ତା ୧୧ ତାରିଖ ମନୋନୟନପତ୍ର ଦାଖଲର ଶେଷ ଦିନ ରହିଛି ।