ପୁରୀ: ଶ୍ରୀଜଗନ୍ନାଥ ପ୍ରେମୀ ଭାବେ ଜଣାଶୁଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷାନ କୁମାର ସେବାୟତ ମହଲରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବାରେ ତାଙ୍କର କେବଳ ନିଷ୍ଠାପରତା ନୁହେଁ, ବରଂ କାଳିଆ ପ୍ରେମରେ ବିଭୋର ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କୋଭିଡ୍ କଟକଣା ଭିତରେ ଗତବର୍ଷ ଭଳି ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଉଦ୍ୟମ ଜାରି ରଖିଥିବା କ୍ରିଷନ୍ କୁମାର ଗତକାଲି ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କଲା ବେଳେ ଗୀତ ଗୋବିନ୍ଦ ଗାୟନରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଯାଇଥିଲେ । ସେବାୟତମାନଙ୍କ ସହ ମିଶି ଦୀର୍ଘ ଅଧଘଣ୍ଟା ଧରି ତାଙ୍କୁ ଗୀତ ଗୋବିନ୍ଦ ଗାଇବାର ଦେଖିବାକୁ ମିଳିଥିଲା ।
ଶୁକ୍ରବାର ନବଯୌବନ ଦର୍ଶନ କରିବା ଲାଗି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସାଙ୍ଗରେ ଥିଲେ ଜିଲ୍ଲାପାଳ ସମର୍ଥା ବର୍ମା, ଏସପି କେ.ବିଶାଲ ସିଂହ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀବୃନ୍ଦ । ସେହି ସମୟରେ ସେବାୟତମାନଙ୍କ ଦ୍ୱାରା ଗୀତ ଗୋବିନ୍ଦ ଗାନ କରାଯାଉଥିଲା । ଏହି ଭକ୍ତିମେୟ ପରିବେଶରେ ମୁଖ୍ୟ ପ୍ରଶାସକ ଅତ୍ୟନ୍ତ ଭାବବିହ୍ୱଳ ହୋଇ ସେବାୟତମାନଙ୍କ ସହ ତାଳ ଦେଇ ଗୀତ ଗୋବିନ୍ଦ ଗାନ କରିଥିଲେ । ତାଙ୍କ ସାଙ୍ଗରେ ଥିବା ଅଧିକାରୀମାନେ ମଧ୍ୟ ସେଥିରେ ସାମିଲ ହୋଇଥିଲେ । ସମସ୍ତେ ଏକାସାଙ୍ଗରେ ଗୀତ ଗୋବିନ୍ଦ ଗାନ କରିବାର ଅନୁଭୂତି ନିଆରା ବୋଲି ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର କହିଥିଲେ ମୁଖ୍ୟ ପ୍ରଶାସକ ।
ସୂଚନା ଥାଉକି, ଗତବର୍ଷ ଶରଧାବାଲିରେ ରଥ ପହଞ୍ଚିବା ପରେ ସେବାୟତମାନଙ୍କ ସମବେତ ଗୀତ ଗୋବିନ୍ଦ ଗାନରେ ସାମିଲ ହୋଇଥିଲେ ମୁଖ୍ୟ ପ୍ରଶାସକ ଡ. କୁମାର । ମହାପ୍ରଭୁଙ୍କୁ ହାତଯୋଡି ଭାବପୂର୍ଣ୍ଣ ଗୀତ ଗୋବିନ୍ଦ ଗାନ କଲାବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ । ଯାହାକି ଚର୍ଚ୍ଚାର ବିଷୟ ହୋଇଥିଲା ।