ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଏବଂ ସମବାୟ ସଂସ୍ଥାରୁ ବେଆଇନ ଭାବେ ନିଜର ଚିକିତ୍ସା ଖର୍ଚ୍ଚ ଓ ବୋନସ୍ ନେଇଥିବା ଅଭିଯୋଗକୁ ଆଜି ଖାରଜ କରିଛନ୍ତି ଲୋକାୟୁକ୍ତ । ଚିକିତ୍ସା ଖର୍ଚ୍ଚ ପାଇବାର ହକଦାର ହୋଇ ମଧ୍ୟ ତାକୁ ଫେରାଇ ଦେଇଥିବାରୁ ଶ୍ରୀ ସେଠୀଙ୍କୁ ଲୋକାୟୁକ୍ତ ଓଲଟି ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ମେଡ଼ିକାଲ୍ ବିଲ୍ ଭରଣା କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ସେଠୀଙ୍କ ବିରୋଧରେ ଜନୈକ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ ଦୁଇଟି ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରଥମ ଅଭିଯୋଗଟି ଥିଲା, ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦ ୯,୪୬, ୨୭୩ ଟଙ୍କା ଓଏସସିବିରୁ ନେଇଛନ୍ତି । ଯାହା କି ସମ୍ପୂର୍ଣ୍ଣ ବେଆଇନ । ଶ୍ରୀ ସେଠୀ କ୍ଷମତାର ଅପବ୍ୟବହାର ପୂର୍ବକ ଏହି ସୁବିଧା ହାସଲ କରିଛନ୍ତି । ଦ୍ୱିତୀୟ ଅଭିଯୋଗଟି ଥିଲା ଶ୍ରୀ ସେଠୀ ଓଏସସିବିର ନିୟମିତ କର୍ମଚାରୀ ନ ହୋଇ ମଧ୍ୟ ସଂସ୍ଥାର ଲାଭାଂଶ ଭାଗ ବୋନସ୍ ଆକାରରେ ନେଇଛନ୍ତି । ଏହି ବୋନସ୍ ପାଇବାକୁ ସେ ହକଦାର ନୁହଁନ୍ତି, ତେଣୁ ବେନିୟମ କାର୍ଯ୍ୟ କରିଛନ୍ତି ।
ତେବେ ଶ୍ରୀ ସେଠୀଙ୍କ ପକ୍ଷ ଏବଂ ଲୋକାୟୁକ୍ତଙ୍କ ତଦନ୍ତରେ ଏହି ଅଭିଯୋଗର କୌଣସି ଆଧାର ନ ଥିବା ସ୍ପଷ୍ଟ ହୋଇଛି । ଏହି ମର୍ମରେ ଲୋକାୟୁକ୍ତ ଆଜି ତାଙ୍କ ରାୟ ଶୁଣାଇ ଦେଇଛନ୍ତି ।
ରାୟରେ କୁହାଯାଇଛି ଯେ ଶ୍ରୀ ସେଠୀ ୨୦୧୩ ଫେବୃଆରୀ ମାସରୁ ୨୦୧୫ ଜୁଲାଇ ମାସ ପର୍ଯ୍ୟନ୍ତ ସମବାୟ ବିଭାଗର ସଚିବ ଭାବେ ଓଏସସିବିର ପରିଚାଳନା ଦାୟିତ୍ୱରେ ଥିଲେ । ସେହି ସମୟରେ ତାଙ୍କ ବାପା ଏବଂ ପତ୍ନୀଙ୍କର ଭିନ୍ନ ଭିନ୍ନ ସମୟରେ ଚିକିତ୍ସା ବାବଦକୁ ସମୁଦାୟ ୩,୨୭,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମତିରେ ଏହା ଓଏସସିବିରୁ ଭରଣା ହୋଇଥିଲା ।
ଜଣେ ସରକାରୀ ଅଧିକାରୀ ହୋଇ ମଧ୍ୟ ଓଏସସିବି ପରିଚାଳନାରେ ପୂର୍ଣ୍ଣ ସମୟ ଦେଉଥିବାରୁ ଏହି ମେଡ଼ିକାଲ୍ ଖର୍ଚ୍ଚ ପାଇବାକୁ ସେ ହକଦାର । ଓଡ଼ିଶା ସମବାୟ ବ୍ୟାଙ୍କ ଆଇନ, ୧୯୬୨ ର ଧାରା ୫୬(୨)(ଏଫ) ଅନୁଯାୟୀ ଏହା ଆଇନସିଦ୍ଧ । ଏହି ଆଇନ ବଳରେ ସଂସ୍ଥାରୁ ବୋନସ୍ ପାଇବା ପାଇଁ ମଧ୍ୟ ସେ ହକଦାର । କାରଣ ସରକାରୀ ଅଧିକାରୀ ହୋଇ ମଧ୍ୟ ସେ ସମବାୟ ବ୍ୟାଙ୍କ ପରିଚାଳନାରେ ପୂର୍ଣ୍ଣ ସମୟ ଦେଇଛନ୍ତି ।
ସୂଚନାଥାଉକି, ମାମଲା ଲୋକାୟୁକ୍ତଙ୍କ ପାଖରେ ଥିବା ବେଳେ ରାଜ୍ୟ ସମବାୟ ବ୍ୟାଙ୍କରୁ ଶ୍ରୀ ସେଠୀ ତାଙ୍କ ବାପା ଓ ପତ୍ନୀଙ୍କ ଚିକିତ୍ସା ବାବଦରେ ତିନୋଟି କିସ୍ତିରେ ନେଇଥିବା ୩,୨୭,୦୦୦ ଟଙ୍କା ତିନୋଟି ଚେକ୍ ଜରିଆରେ ଇତିମଧ୍ୟରେ ଫେରାଇ ସାରିଛନ୍ତି । ଶ୍ରୀ ସେଠୀଙ୍କ ଏହି ଉଦାର ମନୋଭାବ ଓ ସଦିଚ୍ଛା ଆଚରଣକୁ ଲୋକାୟୁକ୍ତ ପ୍ରଶଂସା କରିଛନ୍ତି ।