ଭୁବନେଶ୍ୱର: ଗତିପଥ ବଦଳାଇ ମାଡ଼ି ଆସୁଛି ବାତ୍ୟା ଅକଭାନ୍ । ଏହା ଭୀଷଣ ରୂପ ଧାରଣ କରି ଆସନ୍ତାକାଲି ଶୁକ୍ରବାର ଅପରାହ୍ନରେ ଗୋପାଳପୁର ପାଖରେ ମାଡ଼ ହେବ । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ । ଝଟକା ପବନର ବେଗ ହେବ ୯୦ କିଲୋମିଟର । ଆଜି ସକାଳୁ ବିଶେଷକରି ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅନୁଭୂତ ହେଲାଣି । କୋହଲା ପାଗ ସାଙ୍ଗକୁ ଅଧିକାଂଶ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିପାରେ । କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । କାଲି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଦୁର୍ବଳ ହୋଇଯିବ । ତେବେ ଆଜି ଓ କାଲି ଦୁଇଦିନ ଧରି ପ୍ରବଳ ବର୍ଷିବ । ଅର୍ଣ୍ଣବ ତୁଳନାରେ କମ୍ ବର୍ଷା ହୋଇପାରେ । ମାତ୍ର ସେଥିପାଇଁ ପ୍ରସ୍ତୁତି ଦରକାର । କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନର ଆଶଙ୍କା ଥିବା ସେ ସତର୍କ କରାଇଛନ୍ତି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଋଷିକୁଲ୍ୟା ନଦୀ ଅବବାହିକାରେ ୭୬ରୁ ୧୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି । ନାଗାବଳୀ ଓ ବଂଶଧାରାରେ ୫୧ରୁ ୭୫ ମିମି ଏବଂ ଲୋୟର ମହାନଦୀ ଅବବାହିକାରେ ୩୮ରୁ ୫୦ ମିମି ବର୍ଷା ହେବ । ଆସନ୍ତାକାଲି ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବେଶୀ ବର୍ଷା ହେବ । ସେଇ ଦୁଇ ନଦୀରେ ୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଅନ୍ୟ ନଦୀ ଅବବାହିକାରେ ୧୧ରୁ ୨୫ ମିମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସେ କହିଛନ୍ତି ।
ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ପ୍ରସ୍ତୁତି ହୋଇଛି । ୨୫୦ଟି ବନ୍ୟା ଓ ବାତ୍ୟା ପ୍ରବଣ ବ୍ଲକ୍ ଚିହ୍ନଟ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ୨୦ଟି ଜିଲ୍ଲାର ୬ ହଜାର ୯୩୧ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୦୪ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୯ ହଜାର ୨୯୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ।