ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ ଆଲାଡ଼ି ଗ୍ରାମର ସ୍ୱର୍ଗତ ସୁଶୀଲ କୁମାର ସାହୁ ଓ କନିଶି ବ୍ଲକ୍ ନୀଳାଚଳନଗରର ସିଦ୍ଧି ସମୃଦ୍ଧିଙ୍କୁ ଚଳିତବର୍ଷ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶୀଲଙ୍କ ପତ୍ନୀ ଶ୍ରୀମତୀ ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ମସିହାରୁ ଏହି ପୁରସ୍କାର ଦିଆଯାଉଛି । ଚଳିତବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର । ୨୦୨୦ରେ ଗଞ୍ଜାମର ମସ୍ତିଷ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ କରି ୬ଟି ଜୀବନ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ ।
ମୂଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ଓ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ। ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାଚସ୍ପତି ଶ୍ରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗ ର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଶ୍ରୀ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।