ଭୁବନେଶ୍ୱର: ସୁବର୍ଣ୍ଣପୁର, କଟକ, ଝାରସୁଗୁଡ଼ା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାକୁ ଗଡ଼ିଛି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହି ଜିଲ୍ଲାଗୁଡ଼ିକରେ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍ ଚାଲିଲା। ଏହା ଦ୍ୱାରା ୪୪ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍ ଚାଲିଲା ଏବଂ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହେଲେ । କଟକର ୨୬୧ଟି ପଞ୍ଚାୟତରେ ୪୮ଟି ବସ୍ ଚାଲିଲା ଏବଂ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଝାରସୁଗୁଡାର ୭୬ଟି ପଞ୍ଚାୟତରେ ୧୬ଟି ବସ୍ ଚାଲିଲା ଏବଂ ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହେଲେ । କନ୍ଧମାଳର ୧୬୪ଟି ପଞ୍ଚାୟତରେ ୫୨ଟି ବସ୍ ଚାଲିଲା ଏବଂ ୭ ଲକ୍ଷ ୩ ହଜାର ଲୋକ ଉପକୃତ ହେଲେ। ସେହିଭଳି ସମ୍ବଲପୁରର ୯୭ଟି ପଞ୍ଚାୟତରେ ୩୧ଟି ବସ୍ ଚାଲିଲା ଏବଂ ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହେଲେ।
ଲକ୍ଷ୍ମୀ ବସ୍ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍ ରେ ଯିବା ଆସିବା କରିପାରିବେ ।
କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଲକ୍ଷ୍ମୀ ବସ୍ କେବଳ ଏକ ବସ୍ ସେବା ନୁହେଁ, ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଦିଗରେ ମୁଖ୍ୟମନ୍ତୀଙ୍କର ଏକ ସଫଳତମ ପ୍ରଚେଷ୍ଟା । ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ମାନଙ୍କ ଦକ୍ଷତାର ପରିପ୍ରକାଶ ପାଇଁ ସଯୋଗ ସୃଷ୍ଟି କରିଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତୀ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପଦ୍ମନାଭ ବେହେରା, କଟକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଚନ୍ଦ୍ରସାରଥି ବେହେରା, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ଚକ୍ରମଣି କହଁର ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ଆଜି ରାଜ୍ୟରେ କେବଳ ଗମନାଗମନ ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି – ସବୁ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି । ୫-ଟି କେବଳ ଏକ ମନ୍ତ୍ର ନୁହେଁ, ମ୍ୟାଜିକ ଭାବରେ କାମ କରିଛି ଓଡିଶାର ରୂପାନ୍ତରରେ । ଏକ ସଶକ୍ତ ଓ ନୂତନ ଓଡିଶା ଗଠନ ଦିଗରେ ଲକ୍ଷ୍ମୀ ବସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଘଟିବ ।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ ଏକ ନମ୍ବର ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ, କଠିନ ପରିଶ୍ରମ ଓ ତ୍ୟାଗ ଦରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାର ପ୍ରକୃଷ୍ଟ ଉଦାହରଣ । ଗତ ୨୪ ବର୍ଷ ଧରି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନରେ ରହିଛନ୍ତି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ । ଏଥିପାଇଁ ତାଙ୍କ ପରିଶ୍ରମ ଓ ତ୍ୟାଗର ତୁଳନା ନାହିଁ । ଏଥିସହିତ ସମ୍ବଲପୁର ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ସମ୍ବଲପୁରରୁ ପୁରୀ ସପ୍ତାହକୁ ଦୁଇ ଦିନ ଯିବାଆସିବା କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ଫେବୃଆରୀ ୨୫ ତାରିଖରୁ ସବୁ ଦିନ ଚାଲିବ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମସ୍ତ ଜିଲ୍ଲାରେ ବହୁ ଜନ ସମାଗମ ହୋଇଥିଲା।