ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଡକ୍ଟର ହରକେୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ୱସ୍ତରୀୟ ଲାଇବ୍ରେରୀ କରାଯିବ । ଏହି ରୂପାନ୍ତରିକରଣର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ କରାଯିବ । ଯାହାଦ୍ଵାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡିକୁ ପଢିପାରିବ। ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲିବ । ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି ।
ଏଥିସହ ଭୁବନେଶ୍ୱର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ବର୍ତ୍ତମାନ ଏହି ପାଠାଗାରରେ ଦୈନିକ ପ୍ରାୟ ୨୦୦ ଟି ଆସନର ବ୍ୟବସ୍ଥା ରହିଛି, ଯେଉଁଠି ଜନସାଧାରଣ ସୁବିଧାରେ ବସି ଅଧ୍ୟୟନ କରିପାରିବେ । ସେହିଭଳି ଭୁବନେଶ୍ୱର ମହାନଗର ନିଗମର ୬ଟି ଜୋନରେ ଅତ୍ୟାଧୁନିକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାଦ୍ୱାରା ପାଠାଗାରକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ଲକ୍ଷ୍ୟ ହାସଲ ହୋଇପାରିବ । ଅଧିକ ସଂଖ୍ୟାରେ ଜନସାଧାରଣ ବିଶେଷ କରି ଯୁବବର୍ଗ ଏବଂ ଛୋଟ ପିଲା ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵରର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ।
ସୂଚନା ଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆ ଯାଇଥିଲା। ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ଯ୍ୟକ୍ଷମ ହୋଇଥିଲା । ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ, ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକେନ୍ଦ୍ର ଭାବେ ଏହା ବ୍ୟବହୃତ ହୋଇଆସୁଛି। ଓଡ଼ିଶାର ସାହିତ୍ୟିକ ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା ଏହି ଗ୍ରନ୍ଥାଗାରର ଉପଲବ୍ଧତା ଏବଂ ଯୁବଗୋଷ୍ଠୀକୁ ପୁସ୍ତକ ପଠନ ପାଇଁ ଅଧିକ ପ୍ରେରଣା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏହି ବ୍ୟାପକ ନବୀକରଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ବିଭାଗୀୟ ଶାସନ ସଚିବ ସୁଜାତା କାର୍ତ୍ତିକେୟ ଓ ନିର୍ଦେଶକ ଦିଲୀପ ରାଉତରାୟ ପ୍ରମୂଖ ଉପସ୍ଥିତ ଥିଲେ।