ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ ଦିନ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ କଟକଣା ଜାରି ରହିବ । ପୂର୍ବଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ କଟକଣା ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସଂଧ୍ୟାରେ ଏହି ସୂଚନା ଦେଇଛନ୍ତି ।
ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର କମୁଥିବାରୁ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଏହି ତିନୋଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲାରହିବ । ତେବେ ସଂକ୍ରମଣ ବୃଦ୍ଧି ପାଇଲେ କଟକଣା କୋହଳକୁ ପ୍ରତ୍ୟାହାର କରାଯିବ ।
ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପୂର୍ବଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ସେଲୁନ୍, ପାର୍ଲର ଓ ମଲ୍ ଖୋଲିବାକୁ କିନ୍ତୁ ଅନୁମତି ନାହିଁ । ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟକ୍ରମେ ଲକଡାଉନ୍ କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି । ଆଜି ପଜିଟିଭିଟି ହାର ୧୪% କୁ କମି ଆସିଛି । ତେବେ ଏହା ୫% ତଳକୁ ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ ହେବାର ସମ୍ଭାବନା ନାହିଁ ।