ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଦ୍ୟା ନବୀନ ପଟ୍ଟନାୟକଙ୍କଠାରୁ ଶିଖିବା ଦରକାର । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି କୋଭିଡ୍ ଭଳି ମହାମାରୀର ମୁକାବିଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଜାତିସଂଘର ଡିଜାଷ୍ଟର୍ ରିସ୍କ ରିଡକ୍ସନ୍(UNDRR) ମୁଖ୍ୟ ମାମି ମିଜୁତୋରି କହିଛନ୍ତି । ବାତ୍ୟା ୟାସ୍ ର ସଫଳ ମୁକାବିଲା ଏବଂ କୋଭିଡ୍ ର ସଫଳ ପରିଚାଳନା ପାଇଁ ଜାତିସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ପ୍ରଶସ୍ତିଗାନ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲ୍ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ମାମି ମିଜୁତୋରି କହିଛନ୍ତି, ଓଡ଼ିଶାରେ ୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟୟର ମୁକାବିଲା ପାଇଁ ତାଙ୍କର ରାଜନୈତିକ ଇଚ୍ଛାଶକ୍ତି ଓ ସଂକଳ୍ପରୁ ଜନ୍ମ ନେଇଥିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଏଭଳି ଦୂରଦୃଷ୍ଟି ପଦକ୍ଷେପ ଯୋଗୁଁ ଆଜି ହଜାର ହଜାର ଅମୂଲ୍ୟ ଜୀବନ ରକ୍ଷା ପାଉଛି । ୧୯୯୯ ମହାବାତ୍ୟାରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ ।
ମାତ୍ର ଇତିମଧ୍ୟରେ ଓଡ଼ିଶାରେ ଅନେକ ବଡ଼ ବାତ୍ୟା ଆସିଥିଲେ ମଧ୍ୟ ତାହାର ପୁନରାବୃତ୍ତି ହୋଇନାହିଁ । ପୂର୍ବ ସତର୍କତା ଏବଂ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଉଥିବାରୁ ଜୀବନ ସୁରକ୍ଷିତ ରହୁଛି ।
ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବାକୁ ହେଲେ ଓଡ଼ିଶାର ଉଦାହରଣ ନେବାକୁ ପଡ଼ିବ । ପ୍ରାକ୍ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜନସାଧାରଣଙ୍କୁ ସାମିଲ କରି ଯୋଜନାବଦ୍ଧ ଭାବେ ବିପର୍ଯ୍ୟୟର କିଭଳି ସଫଳ ମୁକାବିଲା କରାଯାଉଛି ଓଡ଼ିଶା ତାହାର ଉଦାହରଣ ବୋଲି ମିଜୁତୋରି କହିଛନ୍ତି ।
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ଜାତିସଂଘର ଏହି ପ୍ରଶଂସା ପ୍ରଥମ ଘଟଣା ନୁହେଁ । ୨୦୧୩ ଫାଇଲନ୍ ବାତ୍ୟାର ସଫଳ ମୁକାବିଲା ପାଇଁ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ମାନପତ୍ର ପ୍ରଦାନ କରିଥିଲା । ସେହିବର୍ଷ ଅକ୍ଟୋବରରେ ଓଡ଼ିଶାରେ ମାଡ଼ ହୋଇଥିବା ବାତ୍ୟା ଫାଇଲନ୍ ର ତୀବ୍ରତା ୧୯୯୯ ମହାବାତ୍ୟା ସଦୃଶ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ୨୧ରେ ସୀମିତ ଥିଲା । ନବୀନ ପଟ୍ଟନାୟକ ସରକାରଙ୍କ ଦୂରଦୃଷ୍ଟି ଓ ସଫଳ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଇଥିଲା ।
କେବଳ ବାତ୍ୟା ନୁହେଁ, ମହାମାରୀ କୋଭିଡ୍ ମୁକାବିଲାରେ ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମିଜୁତୋରି । କୋଭିଡ୍ ସଂକ୍ରମଣ ଆରମ୍ଭରୁ ଏହାକୁ ଜରୁରୀକାଳୀନ ଅବସ୍ଥା ଭାବେ ବିବେଚନା କରି କାର୍ଯ୍ୟକ୍ରମ ଗ୍ରହଣ କରିବା ଯୋଗୁଁ ରାଜ୍ୟବାସୀଙ୍କୁ ତାହାର ଫଳ ମିଳୁଛି । ଦ୍ୱିତୀୟ ଲହର ପାଇଁ ପ୍ରଶାସନର ଉତ୍ତମ ପ୍ରସ୍ତୁତି ଯୋଗୁଁ ଅପେକ୍ଷାକୃତ ମୃତୁ୍ୟହାର କମ୍ ଥିବା ସେ କହିଛନ୍ତି ।
କେବଳ ଜାତିସଂଘ ନୁହେଁ, ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ମାଧବନ୍ ରାଜୀବନ୍ ମଧ୍ୟ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟମାନେ ଓଡ଼ିଶାଠାରୁ ଶିଖିବା ଦରକାର ବୋଲି ସେ ଟ୍ୱିଟ୍ କରିଛନ୍ତି ।