ନୂଆଦିଲ୍ଲୀ/ଭୁବନେଶ୍ୱର: ଗ୍ୟାସ ସିଲିଣ୍ଡର ଉପରେ ବଡ଼ ରିହାତି । ସମସ୍ତ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ବର୍ଷକୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ଏହି ସବସିଡି ମିଳିବ । ଏହି ନିଷ୍ପତ୍ତି ଦ୍ୱାରା ଗ୍ୟାସ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ ପାଇଛି । ଆସନ୍ତାକାଲିଠାରୁ ୧୪.୨ କେଜିଆ ସିଲିଣ୍ଡର ଉପରେ ନୂଆ ଦର ଲାଗୁ ହେବ ।
ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ଅଛି ୧୧୦୩ ଟଙ୍କା । କାଲିଠୁ ଦିଲ୍ଲୀବାସୀଙ୍କୁ ୯୦୩ ଟଙ୍କାରେ ମିଳିବ ସିଲିଣ୍ଡର।ଭୁବନେଶ୍ୱରରେ ଏବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୧୧୨୯ ଟଙ୍କା ଅଛି । କାଲିଠାରୁ ୯୨୯ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ପିଏମ୍ ଉଜ୍ଜଳା ଯୋଜନାରେ ପୂର୍ବରୁ ୨୦୦ ଟଙ୍କାର ସବସିଡି ମିଳୁଥିଲା । ଆଉ ୨୦୦ ଟଙ୍କା ଦର ହ୍ରାସକୁ ମିଶାଇ ୪୦୦ ଟଙ୍କାର ଫାଇଦା ମିଳିବ । ଭୁବନେଶ୍ୱରରେ ଉଜ୍ଜଳା ଯୋଜନାର ହିତାଧିକାରୀ ୭୨୯ ଟଙ୍କାରେ ଗୋଟିଏ ସିଲିଣ୍ଡର ପାଇବେ ।
ଦେଶରେ ଏବେ ଗ୍ୟାସ୍ ଉପଭୋକ୍ତାଙ୍କ ସଂଖ୍ୟା ୩୩ କୋଟି ରହିଛି । କେବଳ ଉଜ୍ଜଳା ଉପଭୋକ୍ତାଙ୍କ ସଂଖ୍ୟା ହେଉଛି ୯ କୋଟି ୬୦ ଲକ୍ଷ । ଆହୁରି ୭୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭାଇଭଉଣୀଙ୍କୁ ଏହା ଏକ ଉପହାର । ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ତଥା ଗରିବ ଓ ମଧ୍ୟବିତ୍ତ ବର୍ଗର କଲ୍ୟାଣ ପାଇଁ ତାଙ୍କ ସରକାର ସର୍ବଦା କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।