– ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ
– ମୃତକଙ୍କ ଆତ୍ମୀୟଙ୍କୁ ୩ ଲକ୍ଷ ଅନୁକମ୍ପା ସହାୟତା ଘୋଷଣା
– ଆହତଙ୍କୁ ମାଗଣା ଚିକିତ୍ସା
ଯାଜପୁର/ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟରେ ଆଜି ସଂଧ୍ୟାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ପୁରୀରୁ ହଳଦିଆ(କୋଲକତା) ଯାଉଥିବା ଏକ ଯାତ୍ରୀବାହୀ ବସ୍ ‘କାଳିଆ ନନା’ ଓଭରବ୍ରିଜ୍ ଉପରୁ ୨୦ ଫୁଟ୍ ତଳକୁ ଖସିପଡ଼ିବାରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ ରେ ଥିବା ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିରେ ୩ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ଗୁରୁତର ଆହତଙ୍କୁ କଟକ ଏସସିବି ବଡ ଡାକ୍ତରଖାନାକୁ ଅଣାଯାଇଛି ।
ପୁରୀରୁ ଏହି ଯାତ୍ରୀବାହୀ ବସ୍ ଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ କୋଲକତା ହଳଦିଆ ଯାଉଥିଲା । ସଂଧ୍ୟା ୯ଟା ବେଳେ ବାରବାଟୀ ଛକ ନିକଟ ଓଭରବ୍ରିଜ୍ ରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ବସ୍ ଟି ସମ୍ପୂର୍ଣ୍ଣ ଓଲଟି ପଡ଼ିବାରୁ ତା’ ତଳେ ଯାତ୍ରୀମାନେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବା ସହ ପୁଲିସକୁ ଖବର ଦେଇଥିଲେ । ମାତ୍ର ୧୫ ମିନିଟ୍ ଭିତରେ ଯାଜପୁର ଏସପି, ଆରଟିଓ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସିଡିଏମଓ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । କ୍ରେନ୍ ସାହାଯ୍ୟରେ ବସ୍ ଟିକୁ ଉଠାଇବା ପରେ ଚାପି ହୋଇ ରହିଥିବା ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ପଠାଯାଇଥିଲା । ଏହି କାର୍ଯ୍ୟରେ ୧୬ ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ ।
ପ୍ରାୟ ୨୦ ଜଣ ସାମାନ୍ୟ ଆହତ ଯାତ୍ରୀଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ କଟକ ଏସସିବି କୁ ଅଣାଯାଇଛି । ଡାକ୍ତରଖାନାକୁ ଆଣିବା ବାଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପରିବହନ କମିସନର ଅମିତାଭ ଠାକୁର ତୁରନ୍ତ ଏସସିବିରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।