ଭୁବନେଶ୍ୱର: ଦୁବାଇ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ସଫଳତା ପରେ ଚଳିତ ମାସର ଶେଷ ସପ୍ତାହରେ ଛତିଶଗଡ଼ର ରାୟପୁରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ପରେ ନଭେମ୍ବର ପ୍ରଥମ ସପ୍ତାହରେ କୋଲକତାରେ ଏହା ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଉପସ୍ଥିତ ରହି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିବେଶକମାନଙ୍କୁ ଆମନ୍ତ୍ରିତ କରିବେ ।
ସୂଚନା ଅନୁଯାୟୀ, ଅକ୍ଟୋବର ୨୭, ୨୮ ଏବଂ ୨୯ ତାରିଖରେ ରାୟପୁର ରୋଡ୍ ସୋ’ କାର୍ଯ୍ୟକ୍ରମ ଥିଲା ବେଳେ ନଭେମ୍ବର ୪, ୫ ଏବଂ ୬ ତାରିଖ କୋଲକତା ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ସେଠାରେ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବା ସହ ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନଙ୍କ ସହ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ।
ଚଳିତବର୍ଷ ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ୩୦୦ ରୁ ଅଧିକ ଶିଳ୍ପପତି, ନିବେଶକ ଓ ବ୍ୟବସାୟୀ ମେକ୍ ଇନ୍ ଓଡ଼ିଶା ୨୦୨୨ ରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜୀକରଣ କରିସାରିଛନ୍ତି । ୨୦୧୮ ଅପେକ୍ଷା ୨୦୨୨ ରେ ଅଧିକ ପୁଞ୍ଜି ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।