ଭୁବନେଶ୍ୱର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳରେ ସେ ଅଲୋଡ଼ା ହୋଇଥିବା ଦର୍ଶାଇ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ମମତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଆଉ ୨୧ ମାସ ଥିବା ବେଳେ ଆଜି ସେ ଅଚାନକ ଉଭୟ ରାଜ୍ୟସଭା ଏବଂ ବିଜେଡି ଇସ୍ତଫା ଦେବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏହା ପଛରେ ବିଜେପିର ବଡ଼ ଗେମ ପ୍ଲାନ୍ ଥିବା ଚର୍ଚ୍ଚା ହେଉଛି ।
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଗୃହରେ ମମତା ମହାନ୍ତଙ୍କ ଇସ୍ତଫା ସଂକ୍ରାନ୍ତରେ ପ୍ରଥମେ ସୂଚନା ଦେଇଥିଲେ । ଶ୍ରୀମତୀ ମହନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫାପତ୍ର ସେ ଗ୍ରହଣ କରିଥିବା ଅଧ୍ୟକ୍ଷ ଗୃହକୁ ଜଣାଇଥିଲେ । ଏହାର କିଛି ସମୟ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ତାଙ୍କର ଇସ୍ତଫାପତ୍ର ପହଞ୍ଚିଥିଲା । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲା ବେଳେ ଦଳରେ ତାଙ୍କର ଆବଶ୍ୟକତା ଅନୁଭବ କରୁ ନ ଥିବା କାରଣରେ ଦର୍ଶାଇଛନ୍ତି । ନିଜ ଏକ୍ସ ହାଣ୍ଡଲରେ ବିଜେଡି ଉପରେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି ।
ମୟୁରଭଞ୍ଜ ଜିଲ୍ଲା କୁଡୁମୀ ସମ୍ପ୍ରଦାୟର ନେତ୍ରୀ ହେଉଛନ୍ତି ମମତା ମହନ୍ତ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲା ବେଳେ ନବୀନ ବାବୁ ତାଙ୍କୁ ରାଜ୍ୟସଭା ପଠାଇ ସମସ୍ତଙ୍କୁ ଚକିତ କରିଥିଲେ । ୨୦୨୦ ଏପ୍ରିଲ୍ ୩ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମମତାଙ୍କର କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ ରେ ସରିଥାନ୍ତା । ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ଏବେ ବିଜେଡିର ସଂଖ୍ୟା ୮ କୁ ଖସିଆସିଛି ।
ମମତାଙ୍କ ଏଭଳି ପଦକ୍ଷେପ ପଛରେ ବିଜେପିର ଗୋଟିଚାଳନା ରହିଥିବା ରାଜନୈତିକ ସମୀକ୍ଷକମାନେ ବିଶ୍ୱାସ କରୁଛନ୍ତି । ମୟୁରଭଞ୍ଜ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ ଉକ୍ରଟ ହୋଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବା ଉଦ୍ୟମରେ ମମତାଙ୍କୁ ମନାଇବାରେ ସଫଳ ହୋଇଛି । ଏହାଦ୍ୱାରା ବିଜେଡିକୁ ଆଉ ଏକ ଶକ୍ତ ଝଟକା ଦେବା ସହ ରାଜ୍ୟସଭାରେ ମଧ୍ୟ ନିଜର ସଂଖ୍ୟା ବୃଦ୍ଧି କରିପାରିବ । କାରଣ ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟସଭା ଆସନଟି ଏବେ ବିଜେପି ହାତକୁ ଯିବା ଥୟ ।
ସୂଚନାଥାଉକି, ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା ୨୨୬ ରହିଛି । ବିଲ୍ ଅନୁମୋଦନ ପାଇଁ ୧୧୪ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ନେତୃତ୍ତ୍ୱାଧୀନ ଏନଡିଏର ୧୦୧ ଜଣ ସଭ୍ୟ ଅଛନ୍ତି । ସେଥିରୁ ବିଜେପିର ସଭ୍ୟ ସଂଖ୍ୟା ୮୬ ରହିଛି । ଏଣୁ ବିଜେପି ପାଇଁ ଏବେ ପ୍ରତିଟି ରାଜ୍ୟସଭା ଆସନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
ମିଳୁଥିବା ଖବର ଅନୁଯାୟୀ, ନିର୍ବାଚନ ପରଠାରୁ ମମତା ମହାନ୍ତଙ୍କ ସହ ବିଜେପି ନେତୃବୃନ୍ଦ ଯୋଗସୂତ୍ରରେ ଥିଲେ । ରାଜ୍ୟସଭା ପଦରୁ ଇସ୍ତଫା ଦେବା ପାଇଁ ସେମାନେ ତାଙ୍କୁ ମନାଇ ଆସୁଥିଲେ । ମମତା ବି ଚୁପଚାପ୍ ରହି ଆଗଭର ହୋଇଥିଲେ । ତେବେ ମମତା କୋଉ ବୁଝାମଣାରେ ରାଜ୍ୟସଭା ସଦସ୍ୟ ଛାଡ଼ିବାକୁ ରାଜି ହେଲେ ତାହା ଜଣାପଡ଼ିନାହିଁ ।
ମମତାଙ୍କ ଜାଗାରେ ବିଜେପିରୁ କିଏ ରାଜ୍ୟସଭା ପ୍ରାର୍ଥୀ ହେବେ ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାର ସର୍ବାଗ୍ରେ ଥିବା ବେଳେ ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଛି । ତେବେ ଆଉ କିଛି ଦିନ ପରେ ଚିତ୍ର ସ୍ପଷ୍ଟ ହୋଇପାରିବ ।






