ଭୁବନେଶ୍ୱର: ବିବାହ ପରେ ପତ୍ନୀଙ୍କୁ ସାଙ୍ଗରେ ଧରି ପ୍ରଥମ ଥର ପାଇଁ ବାହାରକୁ ବୁଲିବାକୁ ଯାଇଥିଲେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା । ମାତ୍ର ସେଠାରେ ମୃତ୍ୟୁ ତାଙ୍କୁ ଯେମିତି ଛକି ରହିଥିଲା । କେରଳର ୱାୟନାଡ଼ରେ ପ୍ରକୃତିର ଭୟଙ୍କର ତାଣ୍ଡବରେ ଚାଲିଗଲା ଜୀବନ । ଭୂସ୍ଖଳନରେ ଗୁରୁତର ଆହତ ହୋଇଥିବା ପତ୍ନୀ ପ୍ରିୟଦର୍ଶିନୀ ୱାୟନାଡ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଶବ ହୋଇ ଘରକୁ ଫେରିବେ ବିଷ୍ଣୁ । ସାଙ୍ଗରେ ବୁଲିବାକୁ ଯାଇଥିବା ବିଷ୍ଣୁଙ୍କ ଦୁଇ ଡାକ୍ତର ବନ୍ଧୁଙ୍କ ମଧ୍ୟରୁ ସ୍ୱୀକୃତି ଆହତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାଧୀନ ପଣ୍ଡାଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳୁନାହିଁ ।
ଚୌଦ୍ୱାର ଚାରବାଟିଆ ହାଉସିଂବୋର୍ଡରେ ରହୁଥିବା ପ୍ରମୋଦ କୁମାର ଚିନ୍ନାରାଙ୍କ ପୁଅ ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍ କଲେଜର ମେଡିସିନ୍ ବିଭାଗରେ ଡାକ୍ତର ଥିଲେ । ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ଟାଙ୍ଗୀସ୍ଥିତ ଡ୍ରିମସ୍ ନର୍ସିଂ କଲେଜରେ ଅଧ୍ୟାପିକା ଅଛନ୍ତି । ଗତ ୨୬ ତାରିଖ ଦିନ ସେମାନେ ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ । ବିଷ୍ଣୁଙ୍କ ଦୁଇ ଡାକ୍ତର ବନ୍ଧୁ ସ୍ୱାଧୀନ ପଣ୍ଡା ଓ ସ୍ୱୀକୃତି ମହାପାତ୍ର ମଧ୍ୟ ସାଙ୍ଗରେ ଯାଇଥିଲେ । ବେଙ୍ଗାଲୁରୁରୁ କେରଳ ଯାଇ ୱାଇନାଡସ୍ଥିତ ଲିଲନାର୍ ଭିଲ୍ଲାରେ ରହିଥିଲେ । ମଙ୍ଗଳବାର ବଡ଼ି ଭୋରରୁ ସେଠାରେ ହୋଇଥିଲା ଭୂସ୍ଖଳନ । ଏଥିରେ ସମସ୍ତେ ଅଲଗା ହୋଇଯାଇଥିଲେ । ପ୍ରିୟଦର୍ଶିନୀ ଏବଂ ସ୍ୱୀକୃତି ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ମଧ୍ୟ ବିଷ୍ଣୁ ଏବଂ ସ୍ୱାଧୀନଙ୍କର କୌଣସି ପତ୍ତା ମିଳିଲା ନାହିଁ ।
ଦୁଇଦିନ ଧରି ଖୋଜାଖୋଜି ପରେ ଆଜି ବିଷ୍ଣୁଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ସ୍ୱାଧୀନଙ୍କର କିନ୍ତୁ ପତ୍ତା ମିଳିନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେଠାକୁ ଜଣେ ସରକାରୀ ଅଧିକାରୀ ଏବଂ ଜଣେ ଡାକ୍ତରଙ୍କୁ ପଠାଇଛନ୍ତି । କେରଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସେମାନେ ଆହତଙ୍କ ଚିକିତ୍ସା ତଦାରଖ କରିବା ସହ ନିଖୋଜ ଓଡ଼ିଆ ଡାକ୍ତରଙ୍କ ଖୋଜଖବର ନେବେ । ମୃତ ଡାକ୍ତରଙ୍କ ଶବକୁ ଘରକୁ ଆଣିବାର ବ୍ୟବସ୍ଥା ମଧ୍ୟ କରିବେ ।
ସୂଚନାଯୋଗ୍ୟ, ସ୍ୱାଧୀନ ପଣ୍ଡା କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସ୍ତ୍ରୀରୋଗ ବିଭାଗରେ ଡାକ୍ତର ଥିବା ବେଳେ ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜରେ ପିଜି ଶେଷବର୍ଷର ଛାତ୍ରୀ ।