ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ସମ୍ପର୍କ ଛିନ୍ନ କରିଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦମାନଙ୍କ ଉପସ୍ଥିତିରେ ସେ ବିଜେପିରେ ନିଜକୁ ସାମିଲ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପରିବାରର ବିଚାରାଧାରରେ ଅନୁପ୍ରାଣିତ ହୋଇ ଏଭଳି ପଦକ୍ଷେପ ନେଇଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଥିବା ବେଳେ ଲୋକଙ୍କ ସେବା ପାଇଁ ତାଙ୍କ ମନର ବ୍ୟାକୁଳତା ପ୍ରକାଶ କରିଛନ୍ତି ।
ଗତକାଲି ଅପ୍ରତ୍ୟାଶିତ ଭାବେ ମମତା ମହାନ୍ତ ଏକାଥରେ ରାଜ୍ୟସଭା ସାଂସଦ ଏବଂ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିରେ ସେ ଅଲୋଡ଼ା ହୋଇଥିବାରୁ ଏଭଳି ପଦକ୍ଷେପ ନେଇଥିବା ସଫେଇ ଦେଇଥିଲେ ମଧ୍ୟ ଏହା ଆଦୌ ଗ୍ରହଣୀୟ ହୋଇ ନ ଥିଲା । ବରଂ ବିଜେଡି ରାଜ୍ୟସଭା ସାଂସଦ ଶିକାର ଅଭିଯାନ ହାତକୁ ନେଇଥିବା ବିଜେପି ପ୍ରଥମେ ମମତା ମହାନ୍ତଙ୍କୁ ମନାଇବାରେ ସଫଳ ହେଲା ବୋଲି ଚର୍ଚ୍ଚା ହେଲା । ଆଉ ଏହି ଚର୍ଚ୍ଚା ଆଜି ସତ ପ୍ରମାଣିତ ହେଲା । କାରଣ ମମତା ଅବିଳମ୍ବେ ବିଜେପି ହାତ ଧରିଛନ୍ତି । ଅର୍ଥାତ୍ ଯାହା ହୋଇଛି ସବୁ ପୂର୍ବ ଯୋଜନାବଦ୍ଧ । ହୁଏତ ମମତା ଅଧିକ ଖୁସି ହେଲା ଭଳି ପ୍ରଲୋଭନ ପାଇଛନ୍ତି ।
ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାରୁ ରାଜ୍ୟସଭାରେ ୮ ଜଣ ବିଜେଡି ସାଂସଦ ଅଛନ୍ତି । ଅତି କମ୍ ରେ ଆଉ ୩ ଜଣ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଅକ୍ତିଆର କରି ସେମାନଙ୍କ ଆସନ ହଡ଼ପ କରିବାକୁ ବିଜେପି କୁଆଡ଼େ ଯୋଜନା ରଖିଛି । ଚର୍ଚ୍ଚା ହେଉଥିବା ବିଜେଡିର ଏହି ସାଂସଦମାନେ ବିଜେପି ପଳାଇବାକୁ ଗୋଡ଼ ଟେକି ବସିଥିବା ମଧ୍ୟ କୁହାଯାଉଛି । ସୁତରାଂ ବିଜେପିର ଏହି ଅଘୋଷିତ ଅଭିଯାନ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି ।
ବିଜେପିରେ ମମତା ମହାନ୍ତଙ୍କ ଯୋଗଦାନ ଉପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ଦେଇଛି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସରୋଜିନୀ ହେମ୍ବ୍ରମ୍ ଏବଂ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ମମତା ବିଜେପି ପ୍ରଲୋଭନର ଶିକାର ହୋଇ କୁଡୁମୀ ସମାଜ ଓ ମୟୁରଭଞ୍ଜବାସୀଙ୍କୁ ଧୋକ୍କା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ବିନାଶମୁଖୀ ରାସ୍ତା ଆପଣାଇଛି କହି ସେମାନେ ସମାଲୋଚନା କରିବା ସହ ନବୀନଙ୍କ ନେତୃତ୍ୱରେ ବିଜେଡି ସଶକ୍ତ ହୋଇ ରହିବ ବୋଲି ଦମ୍ଭ ଦେଖାଇଛନ୍ତି ।







