ନୂଆଦିଲ୍ଲୀ: ଓଡ଼ିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହାୟତା ଦିଅ । ଖାସ୍ କରି ଜାତୀୟ ରାଜପଥ, ଡିଜିଟାଲ୍ କନେକ୍ଟିଭିଟି ଓ ବ୍ୟାଙ୍କିଙ୍ଗ ସେବା ଭଳି ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ମଙ୍ଗରାଜ କହିଥିଲେ ଯେ ଓଡ଼ିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର ବିକାଶ ପ୍ରତି ଧ୍ୟାନ ଦିଆଗଲେ ଏହାର ବାସ୍ତବତା ହୃଦୟଙ୍ଗମ ହେବ ।
ରାଜ୍ୟରେ ବହୁ ଜାତୀୟ ରାଜପଥ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକ-ସମ୍ବଲପୁର ପରି ବହୁ ଜାତୀୟ ରାଜପଥ ପ୍ରକଳ୍ପ ବହୁ ବର୍ଷ ଧରି ଦୁର୍ବଳ ଅବସ୍ଥାରେ ରହିଛି । ଉପକୂଳ ରାଜପଥ ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଛି । ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପରେ ଗୋଟିଏ ବି ଇଟା ପଡିନି ।
ରେଳବାଇରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଉଛି । ବହୁ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେଉଛନ୍ତି । ଜୟପୁର-ନବରଙ୍ଗପୁର. ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୫୦% ଅର୍ଥ ରାଜ୍ୟ ଦେଉଛି । ଏହିସବୁ ପ୍ରକଳ୍ପରେ କୌଣସି ଅଗ୍ରଗତି ହେଉନାହିଁ । ପାରାଦ୍ବୀପ-ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଉନି ରେଳବାଇ । ଏହି ପ୍ରକଳ୍ପ ପାଇଁ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୫୦% ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଚୁକ୍ତିନାମା ହୋଇଥିଲା । କେବଳ ଭୁବନେଶ୍ବରକୁ ବାଦ ଦେଲେ ଅନ୍ୟ ୧୧ଟି ଷ୍ଟେସନର ବିକାଶ ହୋଇନି ।
ରାଜ୍ୟରେ ମୋବାଇଲ ଓ ଡିଜିଟାଲ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ । ଆଦିବାସୀ ଅଧ୍ୟୁକ୍ଷିତ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲୋକେ ଏହି ସେବା ପାଇପାରୁନାହାଁନ୍ତି । ଏବେ ବି ଲୋକେ ଗଛରେ ଚଢି ମୋବାଇଲ ନେଟୱର୍କ ବ୍ୟବହାର କରୁଛନ୍ତି ।
ରାଜ୍ୟର ବହୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ । ପଞ୍ଚାୟତରେ ବ୍ୟାଙ୍କର କାର୍ଯ୍ୟାଳୟ ନଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି ।
କେନ୍ଦ୍ର ସରକାର ଏଦିଗରେ ଧ୍ୟାନ ଦେବାକୁ ଶ୍ରୀ ମଙ୍ଗରାଜ ଦାବି ରଖିଥିଲେ ।