ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ ଆଜି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା । ମନ୍ତ୍ରୀଙ୍କୁ କେମିତି ଗୁଳି କଲା, ଟିକନିକ୍ କରି ଦେଖାଇଲା । ଗୁଳି ମାଡ଼ ପରେ ଫାଙ୍କା ଗୁଳି ଚଳାଇ ବି ଦେଖାଇଲା । କ୍ରାଇମବ୍ରାଞ୍ଚ ଟିମ୍ କୁ କ୍ରାଇମ୍ ସ୍ପଟ୍ ରେ ଗୋପାଳ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର ମନ୍ତ୍ରୀଙ୍କୁ ସେ କାହିଁକି ଗୁଳି କରି ମାରିଲା ସେ ସମ୍ପର୍କରେ ଲୋକ ଏବେ ବି ଅନ୍ଧାରରେ । ୧୦ ଦିନ ବିତିଯାଇଥିଲେ ମଧ୍ୟ ଏହି ରହସ୍ୟ ଉପରୁ ପରଦା ହଟିନାହିଁ ।
ଅଭିଯୁକ୍ତ ଗୋପାଳ ଦାସର ରିମାଣ୍ଡ ଶେଷ ପୂର୍ବରୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ତାକୁ ବ୍ରଜରାଜନଗର ଗାନ୍ଧୀଛକର ସେଇ ଗୁଳିକାଣ୍ଡସ୍ଥଳକୁ ନେଇଥିଲେ । ଅପରାହ୍ନ ୪ଟା ୫ରେ ଠିକ୍ ସେହି ଜାଗାରେ ପହଞ୍ଚିଲା ପରେ ଗୋପାଳକୁ ନକଲି ବନ୍ଧୁକ ଧରାଇ କେମିତି ମନ୍ତ୍ରୀଙ୍କୁ ମାରିଲା ଦେଖାଇବାକୁ କୁହାଗଲା । ସୁନାପୁଅ ପରି ସେସବୁ କରି ଦେଖାଇଲା । ନକଲି ବନ୍ଧୁକରୁ ଅସଲି ଡେମୋ ଦେଖିବାକୁ ସେଠାରେ ପ୍ରବଳ ଜନ ସମାଗମ ହୋଇଥିଲା । ଲୋକ ଆଁ କରି ଗୋପାଳର କୁକର୍ମ ଦେଖୁଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଏହାର ଭିଡିଓଗ୍ରାଫି କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡରେ ଆସିଥିବା ଗୋପାଳର ରିମାଣ୍ଡ ଅବଧି କାଲି ସରୁଛି । ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ ରେ ଗୋପାଳ ପୂରା ସହଯୋଗ କରିଥିଲେ ମଧ୍ୟ କାହିଁକି ହତ୍ୟା କଲା ତାହା ଏ ପର୍ଯ୍ୟନ୍ତ ଜଣାପଡୁନାହିଁ । ହୋଇପାରେ କ୍ରାଇମବ୍ରାଞ୍ଚ ଆଗରେ ଗୋପାଳ ସବୁ ଖୋଲିଦେଇଥିଲେ ମଧ୍ୟ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା ଥିବାରୁ ତାହା ଗଣମାଧ୍ୟମଠାରୁ ଲୁଚାଇ ରଖାଯାଇଛି । ଆଉ ଯଦି ସେଭଳି ହୋଇନାହିଁ, ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁଥିବା ଜଣେ ଅପରାଧୀଠାରୁ ତା’ ଅପରାଧର ଉଦେ୍ଦଶ୍ୟ କ’ଣ ଆଦାୟ ହୋଇପାରୁନାହିଁ । ଏହା ଅସମ୍ଭବ ବୋଲି କୁହାଯାଉଛି ।