ଭୁବନେଶ୍ୱର: ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷାଙ୍କର ପ୍ରଶଂସାରେ ଜାତୀୟ ଗଣମାଧ୍ୟମ ଶତମୁଖର ହୋଇଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଛି ।
ମନୀଷା ହେଉଛନ୍ତି ବ୍ରହ୍ମପୁରର ବାସିନ୍ଦା । ତାଙ୍କର ବାପାମାଆ ଭୁବନେଶ୍ୱରରେ ରୁହନ୍ତି । ଭୁବନେଶ୍ୱର ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ସେ ବି.ଟେକ୍ କରିଛନ୍ତି । ବାୟୁସେନା ଅଫିସର ଭାବେ ସେ ୨୦୧୫ ମସିହାରେ ଯୋଗ ଦେଇଥିଲେ । ସ୍କ୍ୱାର୍ଡନ ଲିଡର ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ପାଇବା ପୂର୍ବରୁ ଏୟାର ଫୋର୍ସ ଷ୍ଟେସନ ବିଦାର, ଏୟାର ଫୋର୍ସ ଷ୍ଟେସନ୍ ପୁନେ ଏବଂ ଏୟାର ଫୋର୍ସ ଷ୍ଟେସନ୍ ଭତିଣ୍ଡାରେ କାମ କରିଥିଲେ । ଏଡିସି ନିଯୁକ୍ତି ହେବା ପରେ ଆଇଜଲ୍ ଠାରେ ରାଜଭବନର ବରିଷ୍ଠ ଅଧିକାରୀମାନଙ୍କ ସହିତ ପରିଚୟ କରାଯାଇଥିଲା । ଗତକାଲି ସେ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦେଶର ପ୍ରଥମ ମହିଳା ଏଡିସି ନିଯୁକ୍ତି ହେବା ପରେ ମନୀଷାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦାୟିତ୍ୱ ଗ୍ରହଣ ଅବସରରେ ଖୋଦ୍ ରାଜ୍ୟପାଳ ଡ. ହରିବାବୁ କାମଭାମପତି ମନୀଷାଙ୍କ ଉଲ୍ଲେଖନୀୟ ସଫଳତା ମହିଳା ସଶକ୍ତିକରଣର ଏକ ଉକ୍ରୃଷ୍ଟ ପ୍ରଦର୍ଶନ ବୋଲି କହିଥିଲେ । ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।







