ଭୁବନେଶ୍ୱର: ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ୨୦୨୪ ନିର୍ବାଚନ ଲଢ଼ିବ । ଗତ ଜାନୁଆରୀ ୧୭ ତାରିଖରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ଶାଖା ପକ୍ଷରୁ ଏହି ନିଷ୍ପତ୍ତି ଶୁଣାଇ ଦିଆଯାଇଥିଲା । କେନ୍ଦ୍ରସ୍ତରରେ ସେଭଳି ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ କାହା ନିଦେ୍ର୍ଦଶରେ ପୃଥ୍ୱୀରାଜ ଏହା ପ୍ରେସ୍ କୁ କହିଥିଲେ ତାହା କାହାରିକୁ ଜଣା ନ ଥିଲା । ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ଏହି ଘଟଣାକୁ ଅଢ଼େଇ ମାସ ହୋଇନି । ସମୀର ମହାନ୍ତିଙ୍କୁ ହଟାଯାଇ ତାଙ୍କ ଜାଗାରେ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରୀୟ ସଭାପତି ନଡ୍ଡା ଆଜି ଏହି ନିଯୁକ୍ତି ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ଅନୁଗତ ସମୀରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ କେନ୍ଦ୍ରୀୟ ନେତୃତ୍ୱ ସାହାସ ଜୁଟାଇ ନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିଜେଡି ସହ ମୁକାବିଲା ପାଇଁ ସେ ପୂରା ଅନଫିଟ୍ ବୋଲି ହୃଦୟଙ୍ଗମ କରିଛନ୍ତି ।
ଶ୍ରୀ ସାମଲ ହେଉଛନ୍ତି ଦଳର ଜଣେ ଅଭିଜ୍ଞ ଓ ପ୍ରଭାବଶାଳୀ ନେତା । ପୂର୍ବରୁ ୧୯୯୮ ଏବଂ ୨୦୦୦ ମସିହାରେ ଦୁଇ ଥର ସେ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ସଭାପତିତ୍ୱ କାଳରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ସରକାର ଗଠନ ହୋଇଥିଲା । ମନମୋହନ ରାଜ୍ୟସଭାକୁ ଯାଇଥିଲେ । ୨୦୦୪ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ ପ୍ରଥମ ଥର ନିର୍ବାଚନ ଜିତିବା ପରେ ନବୀନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ତେବେ ୨୦୦୮ ମସିହାରେ ଦିଲ୍ଲୀ ଓଡ଼ିଶା ନିବାସରେ ଏକ ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହୋଇ ମନ୍ତ୍ରୀ ପଦ ହରାଇଥିଲେ ।
ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ୨୦୦୯ ନିର୍ବାଚନରେ ସେ ଭଣ୍ଡାରୀପୋଖରୀ ଏବଂ ୨୦୧୪ ରେ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଚାନ୍ଦବାଲିରେ ସେ ତୃତୀୟ ସ୍ଥାନରେ ଥିଲେ । ନିର୍ବାଚନ ରାଜନୀତିରେ ବିଫଳ ଶ୍ରୀ ସାମଲ ରାଜ୍ୟ ରାଜନୀତିରୁ ଏକ ପ୍ରକାର ଉଭାନ ହୋଇଗଲେ । ୨୦୧୪ ମସିହାରୁ ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜୁତି ଆରମ୍ଭ ପରେ ତାଙ୍କୁ କେହି ପଚାରୁ ନ ଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତା ଦଳ ପାଇଁ ଅଲୋଡ଼ା ହୋଇଯାଇଥିଲା ।
ମାତ୍ର ଧାମନଗର ଉପନିର୍ବାଚନ ତାଙ୍କୁ ଦଳରେ ପୁର୍ନଜୀବନ ଦେଇଥିଲା । ତାଙ୍କ ପରିଚାଳନାରେ ଦଳ ଉପନିର୍ବାଚନ ଲଢ଼ି ଜିତିଥିଲା । ଉପନିର୍ବାଚନରେ ଦଳର ବିଜୟର ସବୁତକ ଶ୍ରେୟ ଯାଇଥିଲା ମନମୋହନଙ୍କ ପାଖକୁ । ଧର୍ମେନ୍ଦ୍ର ତାଙ୍କ ପିଠି ଥାପୁଡ଼େଇଥିଲେ । କେନ୍ଦ୍ରୀୟ ନେତୃତ୍ୱର ସୁନଜରକୁ ସେ ଆସିଥିଲେ । ମୋଟାମୋଟି ଭାବେ ନିଜର ଦକ୍ଷତା ଓ ପରିଶ୍ରମର ଫଳ ପାଇଛନ୍ତି ମନମୋହନ ସାମଲ । ଶକ୍ତିଶାଳୀ ବିଜେଡିକୁ ମୁକାବିଲା କରିବା ପାଇଁ ତାଙ୍କର ଆବଶ୍ୟକତାକୁ ଅନୁଭବ କରିଛନ୍ତି ଶୀର୍ଷ ନେତୃତ୍ୱ ।
ସଭାପତି ଦାୟିତ୍ୱ ପାଇଲା ପରେ ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ସାମଲ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବେ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି । କେଉଁ ଗୋଷ୍ଠୀର ନୁହଁନ୍ତି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ତେବେ ଆଗକୁ ତାଙ୍କ ଟିମ୍ ଗଠନରୁ ହିଁ ସବୁ ଗୋଷ୍ଠୀର ଭାଗମାପ ଜଣାପଡ଼ିବ ।
ମୋଟାମୋଟି ଭାବେ, ସମୀର ମହାନ୍ତିଙ୍କ ଜାଗାରେ ମନମୋହନ ସାମଲ ରାଜ୍ୟ ମଙ୍ଗୁଆଳ ହେବା ଘଟଣା ବିଜେପି ରାଜନୀତି ଭିନ୍ନସ୍ତରକୁ ନେଇଛି । ସମୀରଙ୍କୁ ହଟାଯିବା ଅର୍ଥ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରୁ କେନ୍ଦ୍ର ନେତୃତ୍ୱ ଆସ୍ଥା ହରାଇଛନ୍ତି ବୋଲି ଦଳରେ ଆଲୋଚନା ହେଉଛି । ମନମୋହନଙ୍କ ନିଯୁକ୍ତି ଧର୍ମେନ୍ଦ୍ର କ୍ୟାମ୍ପରେ ନୈରାଶ୍ୟ ସୃଷ୍ଟି କରିଥିବା ବି କୁହାଯାଉଛି । ତେବେ ବାସ୍ତବ ସ୍ଥିତି ଆଗକୁ ସ୍ପଷ୍ଟ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି । ଏପ୍ରିଲ୍ ୧୪ ପରେ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଓଡ଼ିଶା ବିଜେପିର ଚିତ୍ରକୁ ଆହୁରି ସ୍ପଷ୍ଟ କରିଦେବ ବୋଲି କୁହାଯାଉଛି ।
ଯାହା ହେଉ ନା କାହିଁକି, ଶକ୍ତିଶାଳୀ ବିଜେଡିକୁ ବିଗ୍ ଫାଇଟ୍ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ମନସ୍ଥିତ କରିସାରିଥିବା ଆଜିର ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯାଇଛି । ମନମୋହନ ସମସ୍ତଙ୍କୁ ନେଇ କିଭଳି ଆଗକୁ ବଢ଼ିବେ ତାହା ଏବେ ଦେଖିବାର କଥା ।