ଭୁୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ଦେଶରେ ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।
ସ୍ୱଭାବତଃ କମ୍ କଥା କହୁଥିବା ନବୀନ ଆଜି ସାମ୍ବାଦିକମାନଙ୍କର ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଥିଲେ । ମମତାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ନବୀନ କହିଥିଲେ ଯେ ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ ଓ ସୁନ୍ଦର ସମ୍ପର୍କ ଅଛି । ଆଜି ଆମର ସାକ୍ଷାତକାର ସୌଜନ୍ୟମୂଳକ ଥିଲା । କୌଣସି ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନାହିଁ । ତେବେ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ଼ ହେବା ଉପରେ ଆଲୋଚନା ହୋଇଥିବା କହିଥିଲେ ।
ନବୀନଙ୍କ ଏହି ଉକ୍ତିକୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ମମତା କହିଥିଲେ । ସେ କହିଥିଲେ ଆମ ଉଭୟଙ୍କ ମଧ୍ୟରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା ।
ମମତା କହିଥିଲେ, ମୁଁ ନବୀନଜୀଙ୍କ ପାଖରେ କୃତଜ୍ଞ । ହି ଇଜ୍ ଏ ଭେରି ଟଲ୍ ଲିଡର୍( ସେ ଜଣେ ଉଚ୍ଚାଙ୍ଗ ନେତା) । ମୁଁ ତାଙ୍କୁ ବହୁତ ଆଗରୁ ଜାଣେ । ନବୀନ ନିବାସକୁ ଏହା ମୋର ପ୍ରଥମ ଗସ୍ତ ନୁହେଁ । ଦୁଇ ତିନି ଥର ଆସିଲିଣି । ପ୍ରଥମ ଥର ସାଂସଦ ଥିବା ବେଳେ ବିଜୁବାବୁଙ୍କ ଆମନ୍ତ୍ରଣକ୍ରମେ ଏଠାକୁ ଆସିଥିଲି । ପୂର୍ବାଞ୍ଚଳ ମିଟିଂ ପାଇଁ ଏଠାକୁ ଅମିତ୍ ଶାହା ଆସିଥିଲା ବେଳେ ନବୀନବାବୁଙ୍କ ଆମନ୍ତ୍ରଣକ୍ରମେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲୁ ।
ନବୀନଙ୍କ ଉଚ୍ଚ ପ୍ରଶଂସା କରିଥିଲେ ମମତା । ତାଙ୍କର ଏହି ଓଡ଼ିଶା ଗସ୍ତ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆତିଥ୍ୟେୟତାର ଭୁରି ଭୁରି ପ୍ରଶଂସା କରିଥିଲେ । ଅଫିସରମାନେ ବହୁତ ଭଲ ବୋଲି କହିଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି କହିଥିଲେ । ତାଙ୍କ ରାଜ୍ୟର ଦିଘାଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଛି ବୋଲି ସେ ଜଣାଇବା ସହ ନବୀନଙ୍କୁ ପଶ୍ଚିମବଙ୍ଗ ଆମନ୍ତ୍ରଣ କରିଥିବା କହିଥିଲେ ।
ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅବତାରଣା କରି ମମତା କହିଥିଲେ, ଓଡ଼ିଶାରେ ବାତ୍ୟା ଆସିଲେ ତାହା ପଶ୍ଚିମବଙ୍ଗ ଯାଏ । ବାତ୍ୟା ପାଇଁ ଓଡ଼ିଶାରେ ବିଜୁଳି କଟିଲେ ପଶ୍ଚିମବଙ୍ଗ ମଧ୍ୟ ସମାନ ସମସ୍ୟା ସାମନା କରେ । ତେବେ ଉଭୟ ରାଜ୍ୟ ମଧ୍ୟରେ ଆମେ ସୁସମ୍ପର୍କ ରଖି ଆସିଛୁ । ଓଡ଼ିଶାରେ ଏବେ ସୁବର୍ଣ୍ଣ ନେତୃତ୍ୱର ସମୟ । ପୁରୀରେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତାବିତ ବିଶ୍ୱ ବଙ୍ଗଳା ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ମୁଁ ନବୀନଙ୍କ ପାଖରେ କୃତଜ୍ଞ ବୋଲି କହିଥିଲେ । ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ କରିଡର ନିର୍ମାଣ କରି ଅର୍ଥନୈତିକ ସମୃଦ୍ଧି ପାଇଁ ମତ ରଖିଥିଲେ ମମତା ।
ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ଏକଜୁଟ୍ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମମତା କହିଥିଲେ ନିର୍ବାଚନ ବର୍ଷେ ଅଛି । ଆପଣମାନେ ଏବେଠାରୁ ଏତେ ବ୍ୟସ୍ତ କାହିଁକି? ନବୀନବାବୁ ଜଣେ ସିନିୟର୍ ଲିଡର୍ । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଆସିଛି । ଅନେକ ରାଜନୈତିକ ପ୍ରସଙ୍ଗରେ ଉଭୟଙ୍କର ମତ ସମାନ ହୋଇ ନ ପାରେ । ମୁଁ ଏକୁଟିଆ ଥିଲା ବେଳେ ଯାହା ପଚାରିବେ ଆପଣମାନଙ୍କୁ ଗୋଲଡେନ୍ ବକ୍ସ ଦେବି ବୋଲି ମମତା କଟାକ୍ଷ ଢ଼ଙ୍ଗରେ କହିଥିଲେ ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ୱାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ। ମମତା ନବୀନଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ଭୁୁବନେଶ୍ୱରରେ ଗତ ୨୧ ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ଆମ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ।