ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ପୃଥକ୍ ଭାବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ସେଦିନ ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏକାସାଙ୍ଗରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ www.orissaresults.nic.in ରେ ଲଗ୍ ଇନ୍ କରି ସେମାନଙ୍କ ରେଜଲ୍ଟ ଦେଖିପାରିବେ ।
ମାଟ୍ରିକ୍ ପରୀକ୍ଷା ଫଳ ସକାଳ ୧୦.୩୦ରେ ପ୍ରକାଶ ପାଇବ । ୧୧.୩୦ ସୁଦ୍ଧା ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସଏମଏସରେ ରେଜଲ୍ଟ ପାଇହେବ । ବୋର୍ଡ ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ www.bseodisha.ac.in ରେ ଲଗ୍ ଇନ୍ କରି ରେଜଲ୍ଟ ଦେଖିପାରିବେ ।
ଚଳିତବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ଼ କରିପାରିବେ । ୨୬ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ଏଥିପାଇଁ ପରୀକ୍ଷାର୍ଥୀମାନେ ମୋବାଇଲରୁ BSE/Hi ଲେଖି 7710058192 ରେ ହ୍ୱାଟସ୍ ଆପ୍ କରିବେ । ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ । ଏସଏମଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ୍ ଦେଇ ରୋଲ୍ ନମ୍ବର ଲେଖି 5676750 ନମ୍ବରକୁ ପଠାଇବେ ।
ପରୀକ୍ଷାର୍ଥୀମାନଙ୍କ ପାଇଁ ଚେକିଂ ଆବେଦନର ସମୟସୀମା ମେ’ ୨୯ରୁ ଜୁନ୍ ୧୨ ତାରିଖ ରଖାଯାଇଛି । ହାଇସ୍କୁଲ ପାଇଁ ଅନଲାଇନ ମାଧ୍ୟମରେ, ମଧ୍ୟମା ଓ ଏସଓଏସ୍ ପାଇଁ ଅଫଲାଇନରେ ଆବେଦନ କରିପାରିବେ । ଏଥିସହ ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର ପାଇଁ ଆଜିଠୁ କଣ୍ଟ୍ରୋଲ୍ ରୁମ୍ ଖୋଲୁଛି । ୮୭୬୩୪୪୬୨୯୨ ଓ ୯୪୩୭୨୨୮୧୮୭ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସେମାନେ କଲ୍ କରି ନିଜ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ ।
ଚଳିତବର୍ଷ ସମୁଦାୟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ୍, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ରାଜ୍ୟର ମୋଟ ୩୦୪୭ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ସେହିଭଳି ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।