ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ହୋଇଛନ୍ତି ମିନାକ୍ଷୀ ବାହିନୀପତି । ବନ୍ଦିତା ପରିଡ଼ାଙ୍କ ଠାରୁ ସେ ଦାୟିତ୍ୱ ନେବେ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମିନାକ୍ଷୀଙ୍କ ନାଁ ଉପରେ ମୋହର ମାରିଛନ୍ତି । ଏହି ମର୍ମରେ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ.ସି. ବେଣୁଗୋପାଳଙ୍କ ଦସ୍ତଖତରେ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ମିନାକ୍ଷୀ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କର ଧର୍ମପତ୍ନୀ । ତେବେ କେବଳ ତାରା ବାହିନୀପତିଙ୍କ ପତ୍ନୀ ପରିଚୟରେ ସେ ସୀମିତ ନୁହଁନ୍ତି । କଂଗ୍ରେସର ଜଣେ ଦକ୍ଷ ନାରୀ ନେତ୍ରୀ ଭାବେ ବେଶ୍ ଜଣାଶୁଣା । କୋରାପୁଟ ମୁ୍ୟନିସିପାଲିଟିର ଅଧ୍ୟକ୍ଷା ଭାବେ ସେ ଦୁଇଥର ନିର୍ବାଚିତ ହୋଇଥିଲେ । ୨୦୧୧ ମସିହାରୁ ୨୦୨୩ ମସିହା ଦୀର୍ଘ ୧୩ ବର୍ଷ ଧରି ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଥିଲେ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଗତବର୍ଷ ଜୁନ୍ ମାସରେ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱରୁ ହଟାଯାଇ ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ନେଇ ଜିଲ୍ଲାରେ ଦଳୀୟ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା । ତେବେ ଦଳୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ଯୋଗୁଁ ବିବାଦ ଥମିଥିଲା । ମିନାକ୍ଷୀ ବର୍ତ୍ତମାନ ପିସିସି ସାଧାରଣ ସମ୍ପାଦକ ପଦରେ ଅଛନ୍ତି ।