ଭୁବନେଶ୍ୱର: କଟକ ଜିଲ୍ଲାର ଅରିଲୋ ଠାରେ ଓମଫେଡ୍ ର ଅତ୍ୟାଧୁନିକ ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ବ୍ୟାଟେରୀ ଚାଳିତ ଗାଡ଼ିରେ ପ୍ଲାଣ୍ଟ ବୁଲିବା ବେଳେ ମୁଖ୍ୟମନ୍ତ୍ରୀ ମିଠା ଦହି ଖାଇଥିଲେ । ଏହା ତାଙ୍କୁ ଖୁବ୍ ପସନ୍ଦ ହୋଇଥିଲା । ମିଠା ଦହିକୁ ମୁଖ୍ୟମନ୍ତ୍ରୀ ଏକ୍ସଲେଣ୍ଟ କହିବା ସହ ନିଶ୍ଚୟ ଅର୍ଡର କରିବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଡାଏରୀ ପ୍ଲାଣ୍ଟ । ଏଥିରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ସେଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏଥିସହ ଉଚ୍ଚମାନର ଦହି, ଦୁଗ୍ଧ, ଲସି, ଘିଅ, ପନିର୍ ଏବଂ ଫ୍ଲେଭରଡ୍ ମିଲ୍କ ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।








