ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅମାପ ସମ୍ପତ୍ତି ବିଷୟରେ ସମସ୍ତଙ୍କୁ ଜଣା । ଏତେ ସମ୍ପତ୍ତି ଯେ ବିଧାୟକଙ୍କୁ କିଣି ମୁଖ୍ୟମନ୍ତ୍ରୀ ହୋଇଯିବାର ସାମର୍ଥ୍ୟ ରଖିଥିବା ତାଙ୍କ ସମର୍ଥକମହଲ ବିଶ୍ୱାସ କରନ୍ତି । ତେବେ ସେ ଯାହା ହେଉ, ଏବେ ତାଙ୍କୁ ନେଇ ଏକ ରୋଚକ ଖବର ଆସିଛି । ମହାରାଷ୍ଟ୍ରର ଶିଙ୍ଗନାପୁର ମନ୍ଦିରକୁ ଯାଇ ଶନି ଅଭିଷେକ କରିବା ସହ ୧ କେଜି ୭୦୦ ଗ୍ରାମର ସୁନା ଓ ୫ କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି । ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ଗତ ଶନିବାର ଅମାବାସ୍ୟା ଦିନ ଶନିଦେବଙ୍କ ପାଦ ତଳେ ଜଣେ ଓଡ଼ିଆ ଭକ୍ତ ଏହି ସୁନାକଳସ ଦାନ କରିଛନ୍ତି । ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ସେ ଅନୁରୋଧ କରିଥିଲେ । ତେଣୁ ମନ୍ଦିର ପ୍ରଶାସନ ଏହି ନାମକୁ ସାର୍ବଜନୀନ କରିନାହାନ୍ତି । ତେବେ ବାହାରକୁ ଆସିଥିବା କିଛି ଫଟୋ ଓ ଏକ ଭିଡିଓ କ୍ଲିପ୍ ମନ୍ତ୍ରୀ ନବ ଦାସଙ୍କୁ ଧରା ପକାଇ ଦେଇଛି ।
ଏହି ଫଟୋ ଓ ଭିଡିଓରେ ନବ ଦାସ, ତାଙ୍କ ପତ୍ନୀ ଏବଂ ଝିଅ ଶନିଦେବଙ୍କ ପାଖରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । କଳା ଧୋତି ଗାମୁଛା ପରିହିତ ନବ ବାବୁ ଶନିଦେବଙ୍କ ପାଦ ତଳେ ସୁନାର କଳସ ଅର୍ପଣ କରୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓରୁ ସୁନା କଳସ ଦାନ କରିଥିବା ବ୍ୟକ୍ତିଜଣଙ୍କ ମନ୍ତ୍ରୀ ନବ ଦାସ ବୋଲି ବୁଝାପଡୁଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ପୌଷ ମାସ ଶନିବାରରେ ପଡ଼ିଥିବା ପୌଷ ଶନି ଅମାବାସ୍ୟା ଏକ ଦୁର୍ଲ୍ଲଭ ଦିନ ବୋଲି ଭକ୍ତମାନଙ୍କର ବିଶ୍ୱାସ । ଏହି ଦିନରେ ପ୍ରଭୁଙ୍କ ଶନିଙ୍କ ଦର୍ଶନ ପାଇଁ ଶିଙ୍ଗନାପୁରକୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସଂଧ୍ୟା ଆଳତୀ ସମୟରେ ଶନିଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ସୁନା କଳସ ଅର୍ପଣ କରାଯାଇଥିଲା । କଳସରେ ଶ୍ରୀ ଶନେଶ୍ୱରାୟ ନମଃ ଉଲ୍ଲେଖ ରହିବା ସହ ଶନିଦେବଙ୍କ ମନ୍ତ୍ର ଖୋଦିତ ହୋଇଛି । ଏ ପର୍ଯ୍ୟନ୍ତ ଏହି ମନ୍ଦିରକୁ ମିଳିଥିବା ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସ କୋଭିଡ୍ କାଳରେ ଏକାକାଳୀନ ୮୦ଟି ଟ୍ରକ୍ କିଣି ଚର୍ଚ୍ଚାକୁ ଆସିଥିଲେ । ତେବେ ସୁନା କଳସ ଦାନ ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।