ଭୁବନେଶ୍ୱର: ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ,ସହପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ଏଥିରେ ଉପସ୍ଥିତ ଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି ।
ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ଏଥିପାଇଁ ଯେ ବିଗତ କେତେବର୍ଷ ଧରି ରାଜ୍ୟ ବିଜେପିର ସେ ହୋଇଛନ୍ତି ଅଘୋଷିତ ଚେହେରା । ତାଙ୍କ ବିନା ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ଏକଦା ସମ୍ଭବ ହେଉ ନ ଥିଲା । ମାତ୍ର ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ରଙ୍କ ଯୋଗଦାନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲା । ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବୈଠକରେ ଯୋଗଦେବାର ଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀ ଟୁଡୁ ଆସି ନ ଥିବା ଜଣାପଡ଼ିଥିଲେ ମଧ୍ୟ ଧର୍ମେନ୍ଦ୍ର ଏବଂ ବୈଷ୍ଣବ କାହିଁକି ଆସିଲେନି ତାହା ଦଳ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ତେବେ ଦିଲ୍ଲୀରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯକ୍ରମରେ ବ୍ୟସ୍ତତା କାରଣରୁ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଆସି ନ ଥିବା କିଛି ନେତା ସଫେଇ ଦେଇଛନ୍ତି ।
ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସହଜ ଭାବେ ଗ୍ରହଣ କରିନାହାନ୍ତି । ଗତ କିଛି ବର୍ଷ ଧରି ତାଙ୍କର ବିନା ଇସାରାରେ ରାଜ୍ୟ ବିଜେପିର ପତ୍ର ହଲିବା ସମ୍ଭବ ନ ଥିଲା ବେଳେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ବୈଠକରେ ସେ ନ ରହିବା ପଛରେ କିଛି କେଁ ଥିବା ସେମାନଙ୍କର ବିଶ୍ୱାସ । ଆଗକୁ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ନିଜର ଗାଦି ସୁରକ୍ଷା ପାଇଁ ସେ ଚିନ୍ତିତ ଥିବାରୁ ଓଡ଼ିଶା ଆସିପାରି ନ ଥିବା କୁହାଯାଉଛି ।
ଆଜି ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୨୦୨୪ ରେ ଦଳ କ୍ଷମତାକୁ ଆସିବାକୁ ରଣନୀତି ପ୍ରସ୍ତୁତ କରିଛି । ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା, ରାଜ୍ୟର ବିଜେଡି ଶାସନ ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଷ୍ଟ୍ରାଟେଜି ।