ଭୁବନେଶ୍ୱର: କହୁ କହୁ ବାହାରି ପଡ଼ିଛି ମନ୍ତ୍ରୀଙ୍କ ମୁହଁରୁ ସତ କଥା । ହେଲେ ଅଧା କହିଲେ, ଅଧା ଢ଼ୋକିଲେ । ଡିଜିପି ଚୟନରେ ‘ଅମୁକଙ୍କ’ ବରିଷ୍ଠତାକୁ କାହିଁକି ଉପେକ୍ଷା କରାଯିବ ବୋଲି ଚର୍ଚ୍ଚା ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ ବଢ଼ିଆ ଖୋରାକ ଦେଇଛନ୍ତି । ସେ କହିଛନ୍ତି, ଗତ ସରକାରରେ ଜଣେ ଓଡ଼ିଆ ଅଫିସର ସିବିଆଇ ନିର୍ଦ୍ଦେଶକ ହୋଇଥାନ୍ତେ । କିନ୍ତୁ ତାଙ୍କୁ କରାଇ ଦିଆଗଲାନି । ସେ ନିର୍ଦ୍ଦେଶକ ହୋଇଥିଲେ ବିଜେଡିର କିଛି ନେତା ଅସୁବିଧାରେ ପଡ଼ିଥାନ୍ତେ ।
ମନ୍ତ୍ରୀ ଶ୍ରୀ ପୂଜାରୀ କେଉଁ ଓଡ଼ିଆ ଅଫିସରଙ୍କ କଥା କହିଛନ୍ତି ତାହା ସମସ୍ତଙ୍କୁ ଜଣା । ସେ ଆଉ କେହି ନୁହଁନ୍ତି, ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ଚାକିରିରୁ ଅବସର ପରେ ବିଜେପିରେ ମିଶିଥିଲେ । ୨୦୧୯ ନିର୍ବାଚନରେ କଟକ ଲୋକସଭା ଆସନରୁ ଲଢ଼ିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ସୁରେଶ ପୂଜାରୀଙ୍କ କଥା ବୁଝିଲେ, ପ୍ରକାଶ ମିଶ୍ରଙ୍କୁ ତକ୍ରାଳୀନ ବିଜେଡି ସରକାର ସିବିଆଇ ନିର୍ଦ୍ଦେଶକ କରାଇ ଦେଇ ନ ଥିଲେ ।
ତେବେ ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ବଳ ଦେଇଛି । ଚର୍ଚ୍ଚା ହେଉଛି ଯେ ପ୍ରକାଶ ମିଶ୍ରଙ୍କ ସିବିଆଇ ନିର୍ଦ୍ଦେଶକ ହେବା ବାଟରେ କୁଆଡ଼େ ସୁଧାଂଶୁ ଷଡ଼ଙ୍ଗୀଙ୍କର ଏକ ରିପୋର୍ଟ ବାଧକ ହୋଇଥିଲା । ଯାହାର ପରିଣାମ ସେ ଭୋଗିବାକୁ ଯାଉଛନ୍ତି । ଏହା ସତ୍ୟ ହୋଇଥିଲେ ତାଙ୍କର ବରିଷ୍ଠତା, ମେରିଟ୍ ଥାଇ ମଧ୍ୟ ପୂର୍ବ ଆକ୍ରୋଶ କାରଣରୁ ତାଙ୍କୁ ଡିଜିପି ପଦରୁ ବଞ୍ଚିତ ହେବାକୁ ପଡ଼ିବ ।
ରାଜ୍ୟ ସରକାରଙ୍କ ବର୍ତ୍ତମାନର ସଜବାଜରୁ ସଞ୍ଜୀବ ପଣ୍ଡା ଏହି ପଦରେ ବସିବେ ବୋଲି ଜଣାପଡୁଛି । ମାତ୍ର ଏହା କେତେଦୂର ସମ୍ଭବ ହେବ ତାହା ଆସନ୍ତାକାଲି ଜଣାପଡ଼ିବ ।
କାରଣ ଆସନ୍ତାକାଲି ବସିବାକୁ ଥିବା ୟୁପିଏସସି ଚୟନ କମିଟି ୨୦୦୬ ମସିହାର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ବାହାରକୁ ଯିବା ସମ୍ଭବ ହୋଇ ନ ପାରେ । କାରଣ ଏକ ଜନସ୍ୱାର୍ଥ ମାମଲାରେ ଓଡିଶାର ଡିଜିପି ଚୟନ ପ୍ରକ୍ରିୟାରେ ଗୋଳମାଳ ହୋଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୃଷ୍ଟିକୁ ଆଣିଛନ୍ତି ପ୍ରଖ୍ୟାତ ଆଇନଜୀବୀ ପି. ଚିଦାମ୍ବରମ୍ । ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ନ ଥିଲେ ମଧ୍ୟ ମୁଖ୍ୟ ବିଚାରପତି ୟୁପିଏସସି କୋର୍ଟକୁ ବଲ୍ ଛାଡ଼ି ସାରିଛନ୍ତି । ସୁପ୍ରିମକୋର୍ଟ ନିଦେ୍ର୍ଦଶାବଳୀ ସମ୍ପର୍କରେ ୟୁପିଏସସି ଅବଗତ ଅଛି ଏବଂ ସେହି ନିୟମ ଅନୁଯାୟୀ ଚୟନ କରାଯିବ ବୋଲି ପ୍ରଧାନ ବିଚାରପତି କହିସାରିଥିବାରୁ ୟୁପିଏସସିକୁ ଅଧିକ ସତର୍କତାର ସହ ଯିବାକୁ ପଡ଼ିବ ।
ସୁତରାଂ ରାଜ୍ୟ ସରକାର ଯାହାଙ୍କୁ ଚାହୁଁଛନ୍ତି ତାଙ୍କୁ ଡିଜିପି କରିପାରିବେ ନା ନାହିଁ ଆସନ୍ତାକାଲି ୟୁପିଏସସି ଚୟନ କମିଟି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯିବ ।
ଯାହା ବି ହେଉ, ଡିଜିପି ନିଯୁକ୍ତିରେ ରାଜ୍ୟ ସରକାର ଏମିତି ପାଣି ପିଇବା ପୂର୍ବରୁ କେବେ ଘଟି ନ ଥିଲା । ଏଭଳି ଅଭାବନୀୟ କଥା ସେ କେବେ ଦେଖି ନ ଥିଲେ ବୋଲି ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲା ବେଳେ ସେଥିପାଇଁ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଏବଂ ଅଭିସନ୍ଧିମୂଳକ କାର୍ଯ୍ୟକୁ ଦାୟୀ କରିଛନ୍ତି । ଅନୁରୂପ ଭାବରେ ଏହା ରାଜ୍ୟ ସରକାରଙ୍କର ଅପାରଗତା ବୋଲି ବୁଦ୍ଧୀଜୀବୀମହଲରେ ଆଲୋଚନା ହେଉଛି ।
ନିୟମ ଭିତରେ ସରକାର ନିଜ ପସନ୍ଦର ବ୍ୟକ୍ତିଙ୍କୁ ଡିଜିପି ପଦବୀରେ ବସାଇବା ସାଧାରଣ କଥା । ମାତ୍ର ଯଦି ସେଥିରେ ବିଚ୍ୟୁତି ଥିଲା, ସେଥିପାଇଁ ସରକାରଙ୍କୁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ମିଳିଥିଲା । ମାତ୍ର ମୋହନ ସରକାର ସେଥିରେ ଫେଲ୍ ମାରି ଲୋକହସା ହୋଇଛନ୍ତି । ଏପ୍ରିଲ୍ ମାସରୁ ଆରମ୍ଭ କରି ତିନି ତିନି ଥର ଦିଲ୍ଲୀକୁ ବରିଷ୍ଠ ତାଲିକା ଦେବାକୁ ପଡ଼ିଲାଣି । ନିଜେ ସମାଧାନର ବାଟ ବାହାର କରିବାରେ ବିଫଳ ହୋଇ କେନ୍ଦ୍ର ଉପରେ ନିର୍ଭର କରିଛନ୍ତି ମୋହନ ସରକାର ।





