ଭୁୁବନେଶ୍ୱର: ରେଭେନ୍ସା କ୍ୟାମ୍ପସ୍ କୁ ବିଧାୟକ ଜବରଦସ୍ତ ପଶିଲେ । ହଷ୍ଟେଲ୍ ମାମଲାରେ ମାମଲତି କଲେ । କୁଳପତିଙ୍କ ସାମନାରେ ଚିଫ୍ ୱାର୍ଡେନ୍ ଙ୍କୁ ନନସେନ୍ସ, ଇଡିଅଟ୍ କହି ଗାଳିଦେଲେ । ଜଣେ ବିଧାୟକଙ୍କ ସହ ସହ ଜଣେ ସରକାରୀ କର୍ମଚାରୀଙ୍କୁ କେମିତି କଥା ହେବାକୁ ପଡ଼େ ତାହା ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ଜଣାନାହିଁ ବୋଲି ମିଡିଆକୁ ବାଇଟ୍ ଦେଲେ । ଦୁର୍ବ୍ୟବହାରର ପ୍ରତିବାଦ କରୁଥିବା ୱାର୍ଡେନ୍ ସଂଘକୁ ଧମକାଇଲେ । ସମସ୍ତଙ୍କୁ ବଦଳାଇ ଦିଆଯିବ ବୋଲି ତାଗିଦ୍ କଲେ । ଆଉ ବିଧାୟକଙ୍କ ସେହି ତାଗିଦ୍ କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ଅର୍କ କୁମାର ଦାସମହାପାତ୍ର ।
ବିଶ୍ୱବିଦ୍ୟାଳୟର ଚିଫ୍ ୱାର୍ଡେନ୍ ପ୍ରଫେସର ମିଶ୍ରଙ୍କ ସମେତ ୧୫ଟି ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନଙ୍କୁ ବଦଳାଇ ଦେଇଛନ୍ତି କୁଳପତି । ଗତକାଲି ବିଳମ୍ବିତ ରାତିରେ ଏହି ବଦଳି ଅର୍ଡର ବାହାରିଛି । ବିଶ୍ୱବିଦ୍ୟାଳୟ ହଷ୍ଟେଲ ଦାୟିତ୍ୱ ବଦଳାଇବା ଏକ ନିୟମିତ ପ୍ରକ୍ରିୟା ବୋଲି କୁଳପତି ପୁଣି ସଫେଇ ଦେଇଛନ୍ତି । ଯାହା ଅତ୍ୟନ୍ତ ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ।
ବିଧାୟକଙ୍କ ଦୁର୍ବ୍ୟବହାରକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ରୁଟା) ଲଜ୍ଜିତ ଓ ମର୍ମାହତ ଥିବା ବେଳେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି । ଏହାକୁ ନେଇ ଦୀର୍ଘ ଗୋଟାଏ ସପ୍ତାହ ଧରି ବିଶ୍ୱବିଦ୍ୟାଳୟରେ ଅଶାନ୍ତ ପରିବେଶ ରହିଥିଲା ବେଳେ କୁଳପତି ଉଭୟ ପକ୍ଷକୁ ବୁଝାଇ ସମାଧାନ କରିବା ବଦଳରେ ଶିକ୍ଷକଙ୍କ ଇଜ୍ଜତକୁ ତଳେ ପକାଇ ବିଧାୟକଙ୍କ ଇଜ୍ଜତ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି । ବିଧାୟକଙ୍କ ଚାହିଁବା ଅନୁଯାୟୀ ପଦକ୍ଷେପ ନେଇଛନ୍ତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ଗୌରବମୟ ଶିକ୍ଷାନୁଷ୍ଠାନରେ ପଶି ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା କଟକ ସଦରର ଏହି ପାୱାରଫୁଲ ବିଧାୟକ ପ୍ରକାଶ ସେଠୀଙ୍କୁ ଇଂଲିସ୍ ବିଧାୟକ ନାଁରେ ସାରା ରାଜ୍ୟବାସୀ ଜାଣନ୍ତି । ଇଷ୍ଟ ହଷ୍ଟେଲ ଛାତ୍ର ଆନ୍ଦୋଳନ ମାମଲାରେ ମାମଲତି କରିବାକୁ ଯାଇ ସେ ଚିଫ୍ ୱାର୍ଡେନଙ୍କୁ ଗାଳିମନ୍ଦ କରିଥିଲେ । ଯାହାର ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ସବୁ ହଷ୍ଟେଲ୍ ର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ କୁଳପତିଙ୍କ ପାଖକୁ ଇସ୍ତଫା ପଠାଇଥିଲେ । ଗତ ୪ ତାରିଖରୁ ବିଶ୍ୱବିଦ୍ୟାଳୟରେ ଏହି ବିବାଦ ଦେଖାଦେଇଥିଲେ ମଧ୍ୟ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇ ନ ଥିଲା ।
ଓଲଟି ରେଭେନସା ଶିକ୍ଷକମାନଙ୍କୁ ଖାଦି ଦେଖାଇଥିଲେ ଇଂଲିଶ୍ ବିଧାୟକ । ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଚିଠି ଲେଖି ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ପ୍ରଫେସର ମିଶ୍ର ତାଙ୍କ ସହ ଅନାବଶ୍ୟକ ଯୁକ୍ତିତର୍କ କରିଥିଲେ । ଅସମ୍ମାନଜନକ ଓ ଅପମାନଜନକ ବ୍ୟବହାର ପ୍ରଦର୍ଶନ କରିଥିଲେ । ତାଙ୍କ ଆଚରଣ ଅତ୍ୟନ୍ତ ଅଶୋଭନୀୟ ଥିଲା ଯାହା ଜଣେ ଜନପ୍ରତିନିଧିଙ୍କ ଗରିମା ଓ ଅନୁଷ୍ଠାନର ଶୃଙ୍ଖଳାକୁ କ୍ଷୁର୍ଣ୍ଣ କରିଛି ବୋଲି ଲେଖିଥିଲେ ଇଂଲିଶ୍ ବିଧାୟକ ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଜ୍ଜତକୁ ତଳେ ପକାଇଥିବା କୁଳପତି ଡକ୍ଟର ଦାସମହାପାତ୍ରଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ତାଙ୍କ ନିଯୁକ୍ତି ପଛର ରହସ୍ୟ ଖୋଜିଲେ ସବୁ ଉତ୍ତର ମିଳିଯିବ ବୋଲି କୁହାଯାଉଛି ।