ଭୁବନେଶ୍ୱର: ଡିଜିପି ଚୟନ ପ୍ରକ୍ରିୟାରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରାଯାଉଥିବା ନେଇ ସୁପ୍ରିମକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହୋଇନାହିଁ । ଏହି ମାମଲାର ଶୁଣାଣି ପାଇଁ ଗତକାଲି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାର ଗୁରୁତ୍ୱ ବୁଝି ଆସନ୍ତାକାଲି(ବୁଧବାର) ଶୁଣାଣି ହେବ ବୋଲି କହିଥିଲେ । ମାତ୍ର ଆଜି ଶୁଣାଣି ପାଇଁ ଏହା ତାଲିକାଭୁକ୍ତ ହୋଇନାହିଁ । କେବେ ଏହାର ଶୁଣାଣି ହେବ ତାହା ମଧ୍ୟ ଜଣାପଡ଼ିନାହିଁ ।
ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଥିଲା ବେଳେ ଆସନ୍ତାକାଲି ୟୁପିଏସସି ଚୟନ କମିଟିର ବୈଠକ ବସୁଛି । ସେଥିରେ ତିନିଜଣିଆ ବରିଷ୍ଠ ତାଲିକାକୁ ଅନୁମୋଦନ କରାଯିବ । ସେମାନଙ୍କ ଭିତରୁ ରାଜ୍ୟ ସରକାର ନିଜ ପସନ୍ଦର ଅଧିକାରୀଙ୍କୁ ଡିଜି ପଦରେ ନିଯୁକ୍ତି ଦେବେ । ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ ବି ଖୁରାନିଆ ଅବସର ନେଉଥିବାରୁ ସୁପ୍ରିମକୋର୍ଟର ହସ୍ତକ୍ଷେପ ନ ରହିଲେ ରାଜ୍ୟ ସରକାର ୧୪ ତାରିଖ ଭିତରେ ନୂଆ ନିଯୁକ୍ତି ଦେବେ ।
ରାଜ୍ୟ ସରକାର ୟୁପିଏସସିକୁ ପଠାଇଥିବା ନୂଆ ବରିଷ୍ଠ ତାଲିକାରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ସୁଶାନ୍ତ ନାଥ ଏବଂ ଆର ପି କୋଚେଙ୍କ ସହ ୧୯୯୪ ବ୍ୟାଚ୍ ର ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କ ନାଁ ଯୋଡି ହୋଇଛି । ଓପିଆରବି ପରୀକ୍ଷା ମାମଲା ଆଳରେ ସୁଶାନ୍ତ ନାଥଙ୍କୁ ଡିଜିପି ରେସ୍ ରୁ ବାଦ୍ ଦିଆଯାଇଥିବାରୁ ବରିଷ୍ଠତା ବିଚାରରେ ପ୍ରଥମ ତିନିଜଣଙ୍କ ନାଁ କୁ ୟୁପିଏସସି ରାଜ୍ୟ ସରକାରଙ୍କୁ ପଠାଇବା ସମ୍ଭାବନା ଅଛି । ସେମାନଙ୍କ ମଧ୍ୟରୁ ସଞ୍ଜୀବ ପଣ୍ଡା ରାଜ୍ୟ ସରକାରଙ୍କ ପସନ୍ଦ ହୋଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ଅଧିକ ।
ମାତ୍ର ସଞ୍ଜୀବ ପଣ୍ଡାଙ୍କ ସମ୍ଭାବ୍ୟ ଡିଜିପି ନିଯୁକ୍ତି ବିରୋଧରେ ହିଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟରେ ଆଜି ମାମଲାର ଶୁଣାଣି ହୋଇନଥିଲେ ମଧ୍ୟ ଆସନ୍ତାକାଲି ୟୁପିଏସସି ନିଷ୍ପତ୍ତି ଗୁରୁତ୍ୱ ବହନ କରିବ । ଇତିମଧ୍ୟରେ ସଞ୍ଜୀବ ପଣ୍ଡାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଲମ୍ବା ପତ୍ର ଲେଖିଛନ୍ତି କିଛି ସୂଚନାଧିକାର କର୍ମୀ । ଡିଜିପି ଭାବେ ତାଙ୍କର ସମ୍ଭାବ୍ୟ ନିଯୁକ୍ତିକୁ ସେମାନେ ଦୃଢ଼ ବିରୋଧ କରି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।