ଭୁୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଖରେ ପହଞ୍ଚି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିବା ‘ଓଡ଼ିଶା-ମୋ ପରିବାର’ ର ଅଭିଯାନରେ ଆଉ ଏକ ମାନବିକତାର କାହାଣୀ ଯୋଡି ହୋଇଛି । ଦିଲ୍ଲୀ ଏମସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ଓଡ଼ିଆ ମେଧାବୀ ଛାତ୍ରଙ୍କ ମରଶରୀର ଜନ୍ମମାଟିକୁ ଫେରାଇ ଆଣିବା ପରିବାର ପକ୍ଷେ ଅସମ୍ଭବ ଥିଲା ବେଳେ ‘ଓଡିଶା-ମୋ ପରିବାର’ ସହଯୋଗରେ ତାହା ସମ୍ଭବ ହୋଇପାରିଛି । ଆଜି ଦିଲ୍ଲୀରୁ ମୃତ ଛାତ୍ରଙ୍କ ଶରୀର ବିମାନରେ ଅଣାଗଲା ପରେ ଜନ୍ମମାଟି ଜଗତସିଂହପୁର ଜିଲ୍ଲାରେ ସତ୍କାର କରାଯାଇଛି ।
ଏମସ୍ ରେ ପ୍ରାଣ ହରାଇଥିବା ଏହି ମେଧାବୀ ଛାତ୍ରଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଗ୍ରାମର ୨୫ ବର୍ଷୀୟ ସୂର୍ଯ୍ୟକାନ୍ତ ସ୍ୱାଇଁ । ହୃଦରୋଗରେ ଆକ୍ରାନ୍ତ ହୋଇ ଗତ ୧୪ ତାରିଖରେ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଥିଲେ । ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ଗତ ୧୬ ତାରିଖରେ ତାଙ୍କୁ ଦିଲ୍ଲୀ ଏମସ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଆର୍ଥିକ ଦୃଷ୍ଟିରୁ ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର ଘରକୁ ଆଣିବା ତାଙ୍କ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଅସହାୟ ସୂର୍ଯ୍ୟକାନ୍ତଙ୍କ ଭାଇ ଦିଲ୍ଲୀସ୍ଥିତ ଓଡ଼ିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳଙ୍କୁ ଯୋଗାଯୋଗ କରି ସାହାଯ୍ୟ ଲୋଡିଥିଲେ । ଶ୍ରୀ ଧଳ ତୁରନ୍ତ ‘ଓଡ଼ିଶା-ମୋ ପରିବାର’ କୁ ଏହା ଅବଗତ କରାଇଥିଲେ । ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ଫେରାଇ ଆଣିବାକୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତାର ବ୍ୟବସ୍ଥା କରାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ସମେତ ଓଡ଼ିଆ ମହାମଞ୍ଚର ମୁଖ୍ୟ ଶ୍ରୀ ଧଳ ଓ ମନୋଜ ନାୟକଙ୍କ ମିଳିତ ଉଦ୍ୟମରେ ବିମାନରେ ଆସିଥିବା ଶବ ଆଜି ସକାଳ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲା ।
‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ପାର୍ଥିବ ଶରୀର ଗ୍ରହଣ କରିବା ପରେ ତାଙ୍କ ଜନ୍ମମାଟିକୁ ପଠାଇବାର ବନ୍ଦୋବସ୍ତ କରିଥିଲେ । ଏହି ମହତ୍ କାର୍ଯ୍ୟ ଲାଗି ମୃତକଙ୍କ ପରିବାରବର୍ଗ ‘ଓଡ଼ିଶା-ମୋ ପରିବାର’ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।