ପୁରୀ: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆଜି ବଡ଼ି ସକାଳୁ ପୁରୀ ଆସି ଐତିହ୍ୟ କରିଡ଼ର କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପାଣ୍ଡିଆନ୍ ଙ୍କ ସାଙ୍ଗରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏବଂ ଏସପି କନୱାଲ୍ ବିଶାଲ ସିଂ ।
ସମୀକ୍ଷା ବେଳେ ଡେଡଲାଇନ୍ ମଧ୍ୟରେ ଜମି ଅଧିଗ୍ରହଣ, ଐତିହ୍ୟ କାର୍ଯ୍ୟର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ୨୦ ମିଟର ବାହ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ, ଉଭୟ କରିଡର ଏବଂ ବଫର ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ଆବର୍ଜନା ସଫା କାର୍ଯ୍ୟ ଏବଂ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମୀକ୍ଷା ବେଳେ ଗୁରୁତ୍ୱ ଦିଆଯାଇଥିଲା ।
୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ
ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ପୁରୀରେ ସୁଲଭ ମୂଲ୍ୟରେ ରହିପାରିବେ । ୧୦୦ରୁ ୧୫୦ ଟଙ୍କା ଦେଇ ରାତ୍ରୀ ରହଣୀ ସୁବିଧା ପାଇବେ । ବାସେଳି ସାହି ଥାନା ନିକଟରେ ୩ ରୁ ୪ ହଜାର ଭକ୍ତଙ୍କ ରହିଲା ଭଳି ଭକ୍ତ ନିବାସ ନିର୍ମାଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ଆଜି ପୁରୀରେ ଏକ ପୃଥକ୍ ସମୀକ୍ଷା ବୈଠକରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ମୁଖ୍ୟ ପ୍ରଶାସକ । ଭଙ୍ଗା ଯାଇଥିବା ଦୁଇଟି ମାର୍କେଟ୍ କମ୍ପ୍ଲେକ୍ସର କାମ ଖୁବ୍ ଶୀଘ୍ର ଶେଷ ହେବ । ଜେଲ୍ ରୋଡରେ ବହୁ ତଳ ପାର୍କିଂ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିପାଇଁ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ଡକ୍ଟର କ୍ରିଷନ୍ କୁମାର କହିଛନ୍ତି ।