ଭୁବନେଶ୍ୱର: ରାଜ୍ୟର କଂଗ୍ରେସ ସରକାର ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱର ନିର୍ଦ୍ଦେଶରେ କାମ କରୁଛନ୍ତି । ତେବେ ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍ । ଆମେ କେବଳ ଓଡ଼ିଶାବାସୀ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହି ମନ୍ତବ୍ୟ ରଖିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡ଼ିଶାର ଯୁବବନ୍ଧୁମାନଙ୍କୁ ମୋ ମନକଥା କହୁଛି କହି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସ୍ୱତନ୍ତ୍ରତା ବର୍ଣ୍ଣନା କରି ଏହାର ସୁରକ୍ଷା ପାଇଁ ଦଳର ସଂକଳ୍ପ ଦୋହରାଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ତେର୍ଚ୍ଛାବାଣ ମାରି ଜାତୀୟ ଦଳର ଚରିତ୍ର ବଖାଣିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଲା ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢ଼ିବା । ଜତୀୟ ଦଳର ରାଜ୍ୟ ନେତୃତ୍ୱର ମୁଖ୍ୟ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ୱକୁ ଖୁସି କରି ମନ୍ତ୍ରୀ ହେବା କି କିଛି ପଦପଦବୀ ପାଇବା । ଇତିହାସ କହୁଛି, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ମେନଷ୍ଟ୍ରିମିଂ ଏଜେଣ୍ଡା । କେବଳ ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ । ଏଥିପାଇଁ ସେମାନଙ୍କର ଗୋଟିଏ ନୀତି ହେଉଛି ଗୋଟିଏ ଭାଷା-ହିନ୍ଦୀ ଏବଂ ଗୋଟିଏ ସଂସ୍କୃତି । ଏଥିରୁ ବଡ଼ ବଡ଼ ରାଜ୍ୟମାନେ ଲାଭବାନ ହୁଅନ୍ତି । ଜାତୀୟ ଦଳମାନେ ଜାତୀୟସ୍ତରରେ ନିଜ ସ୍ୱାର୍ଥ ପାଇଁ ରାଜ୍ୟମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ସହିତ ସାଲିସ୍ କରିଥାନ୍ତି ।
ମାତ୍ର ଆମ ପାଇଁ ଆମ ଭାଷା ଓଡ଼ିଆ, ହିନ୍ଦୀଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ମହାନଦୀ ଅନ୍ୟ ନଦୀଠାରୁ ଅଧିକ ପବିତ୍ର । ଆମ ପାଇଁ ଓଡ଼ିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଙ୍ଗୀତ । ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା । ଆମ ପାଇଁ ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି । ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ୱସ୍ତରୀୟ ।
କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ । ଆମର ସ୍ୱତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳରେ ଥିବା ରାଜ୍ୟ ନେତାମାନଙ୍କର ସ୍ୱର ନାହିଁ । ଉଭୟ କଂଗ୍ରେସ ଓ ବିଜେପି ସେମାନଙ୍କ ମାନିଫାଷ୍ଟୋରେ ସ୍ପେଶାଲ୍ କାଟାଗୋରି ଷ୍ଟାଟସ୍ କୁ ଏକ ନମ୍ବରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ଏହି ଦାବିକୁ ସହଜରେ ଭୁଲିଗଲେ । ଓଡ଼ିଶାର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ବିଜେଡ଼ି ଲଢ଼େଇ ଜାରି ରଖିଛି ଏବଂ ଆଗକୁ ରହିବ । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ । ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ର । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ୱତନ୍ତ୍ର । ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମର ଜୀବନ ଧାରା । ମହାନଦୀ ଆମ ଜୀବନ ରେଖା । ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶିର୍ବାଦ ହୋଇ ବହିଚାଲିଛି । ଆମ ଓଡ଼ିଶା ପ୍ରଚୁର ଖଣିଜ ସମ୍ପଦରେ ଭରପୂର । ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଓଡ଼ିଶାର ଏହି ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷମାନେ ଅନେକ ତ୍ୟାଗ କରିଛନ୍ତି । ଆମ ପାଇଁ ଲଢ଼େଇ କରି ସ୍ୱତନ୍ତ୍ର ରାଜ୍ୟ ଦେଇଛନ୍ତି ।