ଭୁବନେଶ୍ୱର: ଭୁବନେଶ୍ୱରରେ ୫୦୦ ଶଯ୍ୟା ବିଶିଷ୍ଟ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ଆଜି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନଠାରେ ରାଜ୍ୟ ସରକାର, ଶ୍ରୀ ଶଙ୍କର କ୍ୟାନସର୍ ଇନଷ୍ଟିଚ୍ୟୁଟ୍, କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ଏବଂ ଶ୍ରୀମତୀ ସୁସ୍ମିତା ବାଗଚୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା ଏ ଦୁଇଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ଐତିହାସିକ ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁବ୍ରତ୍ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ଏହି ଦୁଇଟି ବିଶ୍ୱବିଖ୍ୟାତ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି । କ୍ୟାନସର୍ ହସ୍ପିଟାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତ୍ତି ୨୧୦ କୋଟି ଏବଂ ପାଲିଏଟିଭ(କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ୧୩୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଇନଫୋ ଭ୍ୟାଲିରେ ଏଥିପାଇଁ ୨୦ ଏକର ଲେଖାଏଁ ଜମି ପ୍ରଦାନ କରିବେ ।
ଭୁବନେଶ୍ୱରରେ ଦେଶର ସର୍ବବୃହତ୍ତ କ୍ୟାନସର୍ ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତ୍ତି ୩୪୦ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀମତୀ ବାଗଚୀ ଏବଂ ଶ୍ରୀ ବାଗଚୀ ଙ୍କ ବଦାନ୍ୟତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହ ମୋ ସ୍କୁଲ ଏବଂ ସ୍କିଲ୍ ମିଶନ ଜରିଆରେ ରାଜ୍ୟକୁ ଏକ ନୂଆ ଦିଶା ଦେବାରେ ସେମାନଙ୍କର ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟରେ ଦୁଇଟି କ୍ୟାନସର ପ୍ରତିଷ୍ଠାନ ପାଇଁ ସେମାନଙ୍କର ସଂକଳ୍ପ ଏବଂ ସହଯୋଗ ଅବିସ୍ମରଣୀୟ । ହଜାର ହଜାର ରୋଗୀ ଏବଂ ସେମାନଙ୍କ ପରିବାର ଏଥିରୁ ଉପକୃତ ହେବେ । ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ କବିତା ଉଦ୍ଧାର କରି ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ବେଙ୍ଗାଲୁରୁ ହସପିସ୍ ଟ୍ରଷ୍ଟ ର ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଦୁଇଟି ଯାକ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଏମଓୟୁ ସ୍ୱାକ୍ଷର ଉତ୍ସବରେ ସୁବ୍ରତ ବାଗଚୀ, ସୁସ୍ମିତା ବାଗଚୀ, ଗୁରୁମିତ୍ ରଣଧୱା, ଡ. ବି.ଏସ୍ ଶ୍ରୀନାଥଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।