ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳାଙ୍କୁ ଏବେ ତାଳଚେର ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ସାଙ୍ଗରେ ଶ୍ୱଶୁର ଦେବେନ୍ଦ୍ର ପ୍ରଧାନଙ୍କୁ ବି ଦେଖିବାକୁ ମିଳିଲାଣି । ରାଜନୀତିରୁ ସନ୍ୟାସ ନେଇସାରିଥିବା ବିଜେପିର ଏକଦା ଏହି ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ପରେ ଲୋକମାନେ ମଞ୍ଚରେ ଦେଖିଛନ୍ତି । ବୋହୁ ସାଙ୍ଗରେ ତାଙ୍କୁ ଗୋଟିଏ ମଞ୍ଚରେ ଦେଖି ସାଧାରଣରେ କୌତୁହଳ ସୃଷ୍ଟି ହୋଇଥିବା ବେଳେ ନୂଆ ରାଜନୈତିକ ସମୀକରଣର ଆଭାସ ଆସିଛି ।

ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ତାଳଚେର ଏନଏସିରେ ଉଜ୍ଜଳା ଗ୍ୟାସ୍ ବଣ୍ଟନ କରି ବେଶୀ ଚର୍ଚ୍ଚାକୁ ଆସିଛନ୍ତି । ଏହି କାର୍ଯ୍ୟକ୍ରମ ବେଳେ ବିଭିନ୍ନ ଜାଗାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ପଟୁଆର ଶୋଭାଯାତ୍ରାରେ ନିଆଯାଇ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଜ୍ଜଳା ଯୋଜନାର ଉପକାରିତା ସମ୍ପର୍କରେ ମୃଦୁଳା ପ୍ରାଞ୍ଜଳ ଓଡ଼ିଆରେ ଭାଷଣ ଦେଉଥିବା ଦେଖିବାକୁ ମିଳିଥିଲା । ସେହିଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମମାଟି ନାଲମ ଠାରେ ମୃଦୁଳାଙ୍କ ପାଇଁ ଆଜି ଏକ ବଡ଼ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଖାଲି ମୃଦୁଳା ନୁହଁନ୍ତି, ଶ୍ୱଶୁର ଦେବେନ୍ଦ୍ର ପ୍ରଧାନ ପଦାକୁ ବାହାରିବା ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି । ଗତ ୩ ତାରିଖରେ ତାଳଚେର ତାଳବେଡ଼ାସ୍ଥିତ ପିଏମଆଇଟିଠାରେ କେନ୍ଦ୍ର ସରକାରୀ ସଂସ୍ଥା ପ୍ରାୟୋଜିତ କୃଷି ସମ୍ପର୍କିତ ଏକ କର୍ମଶାଳାରେ ଉଭୟ ଶ୍ୱଶୁର-ବୋହୁ ମଞ୍ଚାସୀନ ହୋଇଥିଲେ । ପୁଅ ଧର୍ମେନ୍ଦ୍ର ପ୍ରତିଷ୍ଠା ଲାଭ ପରଠୁ ସକ୍ରିୟ ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଥିବା ଦେବେନ୍ଦ୍ର ପ୍ରଧାନଙ୍କୁ ଲମ୍ବା ସମୟ ବ୍ୟବଧାନରେ ଏହି କାର୍ଯ୍ୟକ୍ରମରେ, ପୁଣି ବୋହୁ ସାଥୀରେ ଦେଖୁଥିବାରୁ ତାଳଚେରବାସୀଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା ।
ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ସାଧାରଣ ଜୀବନରେ ନୂଆ ନୁହଁନ୍ତି । ଛାତ୍ର ଜୀବନରେ ଏବିଭିପିର ଜଣେ ଦୃଢ଼ ସଂଗଠିକା ଭାବେ ସେ ଜଣାଶୁଣା ଥିଲେ । ହିମାଚଳ ପ୍ରଦେଶ ଜନ୍ମିତ ମୃଦୁଳା ଓଡ଼ିଆ ଘରର ବୋହୁ ହେଲା ପରେ ପ୍ରତ୍ୟକ୍ଷ ରାଜନୀତିକୁ ନ ଆସି ସ୍ୱାମୀଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରୁଥିବା ଚର୍ଚ୍ଚା ହୁଏ । ବିଶେଷକରି ଓଡ଼ିଶାରେ ଦଳୀୟ ସାଂଗଠନିକ କାର୍ଯ୍ୟରେ ସ୍ୱାମୀଙ୍କୁ ସେ କୁଆଡ଼େ ସମ୍ପୂର୍ଣ୍ଣ ସହଯୋଗ କରନ୍ତି । ସୂଚନାଥାଉକି, ଗତ ଦିଲ୍ଲୀ ନିର୍ବାଚନ ପ୍ରଚାର ମୈଦାନରେ ମୃଦୁଳାଙ୍କୁ ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରିଥିଲେ ।
ତେବେ ସେ ଯାହା ହେଉ, ଓଡ଼ିଶାରେ ନିର୍ବାଚନ ପର୍ବ ଆରମ୍ଭ ପୂର୍ବରୁ ତାଳଚେରର ଏହି ଦୃଶ୍ୟ ସାଧାରଣରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ତାଳଚେର ବିଧାନସଭା ଆସନରୁ ମୃଦୁଳା ଲଢ଼ିବେ ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଛି । ସ୍ୱାମୀଙ୍କ ସାଂଗଠନିକ ଶକ୍ତି ଓ ଶ୍ୱଶୁରଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ସେ ଆଗକୁ ବଢୁଥିବା କୁହାଯାଉଛି ।
ଆଉ ଏକ ମହଲର ଯୁକ୍ତି ହେଉଛି, ମୃଦୁଳା ନିଜେ ଲଢ଼ି ନ ପାରନ୍ତି । ବରଂ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଧର୍ମେନ୍ଦ୍ର ଢ଼େଙ୍କାନାଳ ଲୋକସଭା ଆସନ ନଚେତ୍ ତାଳଚେର ବିଧାନସଭା ଆସନରୁ ଲଢ଼ିବାକୁ କୁଆଡ଼େ ଆଗ୍ରହୀ ଅଛନ୍ତି । ଏମିତି ବି ହୋଇପାରେ, ଧର୍ମେନ୍ଦ୍ର ନିଜେ ଢ଼େଙ୍କାନାଳ ଲୋକସଭା ଆସନରୁ ଲଢ଼ିବେ ଏବଂ ପତ୍ନୀଙ୍କୁ ତାଳଚେର ଆସନରୁ ଲଢ଼େଇବେ ।
No Result
View All Result