ଭୁୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଇତିମଧ୍ୟରେ ଆମ ଦେଶର ବିଭିନ୍ନ ରାଜ୍ୟକୁ ମାଡ଼ିଚାଲିଛି । କର୍ଣ୍ଣାଟକ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀରେ ୨୧ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି । ଓଡ଼ିଶାକୁ ସଂକ୍ରମଣ ଛୁଇଁଲାଣି ନା ନାହିଁ ତାହା ଆଉ ୫ ଦିନ ପରେ ସ୍ପଷ୍ଟ ହେବ । ଗତ ୧୦ ଦିନରେ ଓଡ଼ିଶାକୁ ଆସିଥିବା ବିଦେଶୀ ଫେରନ୍ତାଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ସେମାନଙ୍କର ଜିନମ୍ ସିକ୍ୟୁଏନସିଂ କରାଯାଉଛି । ଶୁକ୍ରବାର ଦିନ ରିପୋର୍ଟ ଆସିଲା ପରେ ଓମିକ୍ରନ୍ ଚିତ୍ର ସ୍ପଷ୍ଟ ହେବ ।
ଭୁବନେଶ୍ୱର ଆଇଏଲଏସ୍ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୨୪ ପରେ ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିନମ୍ ସିକ୍ୟୁଏନସିଂ ପାଇଁ ଆଇଏଲଏସ୍ କୁ ଏମାନଙ୍କ ସାମ୍ପଲ୍ ଆସିଛି । ଶୁକ୍ରବାର ଦିନ ସମସ୍ତଙ୍କ ରିପୋର୍ଟ ଆସିବ । ଏହାପରେ ଜଣାପଡ଼ିବ ଓମିକ୍ରନ ଆକ୍ରାନ୍ତ ଅଛନ୍ତି ନା ନାହିଁ । ପୂର୍ବରୁ ୧୪୧ ସାମ୍ପଲ୍ ଟେଷ୍ଟ ହୋଇଥିଲେ ମଧ୍ୟ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିବା ଡ. ପରିଡ଼ା କହିଛନ୍ତି ।
ସେପଟେ ବିଦେଶରୁ ଫେରିଥିବା ୪୦% ପ୍ରବାସୀଙ୍କ ପତ୍ତା ମିଳୁ ନ ଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି । କାଳେ ଓମିକ୍ରନ୍ ବାହାରିବ ସେହି ଭୟରେ ଏହି ବିଦେଶ ଫେରନ୍ତାମାନେ ଭୁଲ ଠିକଣା ଦେଇଛନ୍ତି କିମ୍ବା ମୋବାଇଲ୍ ସୁଇଚ୍ ଅଫ୍ କରିଦେଇଛନ୍ତି । ଫଳରେ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଓମିକ୍ରନ୍ ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ୮୦୦ ରୁ ଅଧିକ ପ୍ରବାସୀ ଫେରିଛନ୍ତି । ‘ଏୟାର ସୁବିଧା’ ପୋର୍ଟାଲ୍ ରେ ସେମାନଙ୍କର ବିସ୍ତୃତ ବିବରଣୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ଭୁଲ୍ ଠିକଣା କିମ୍ବା ମୋବାଇଲ୍ ବନ୍ଦ କାରଣରୁ ୩୨୦ ଜଣଙ୍କୁ ଠାବ କରାଯାଇପାରୁନାହିଁ । ସରକାରଙ୍କ ପାଖରେ ସେମାନଙ୍କର ଖବର ନାହିଁ । ଠାବ ହୋଇପାରୁ ନ ଥିବା ଏହି ବ୍ୟକ୍ତିମାନେ ଓମିକ୍ରନ୍ ଆକ୍ରାନ୍ତ କି ନୁହେଁ ତାହା ଜାଣିବା ସମ୍ଭବ ହେଉନାହିଁ । ଯଦି ସେଭଳି କେହି ଥାଆନ୍ତି ତେବେ ତାହା ଭୟଙ୍କର ବିପଦ ଆଣିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି ।
ବିଦେଶ ଫେରନ୍ତାଙ୍କ ସମ୍ପର୍କରେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ଜଣାଇ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।