କୋଲକତା: ପଶ୍ଚିମବଙ୍ଗ ବିଜେପିକୁ ବଡ଼ ଧକ୍କା । ଗତ ୪ ବର୍ଷ ଧରି ଦଳର ଫେସ୍ ବନିଥିବା ମୁକୁଲ ରାୟ ବିଜେପିରୁ ମୋହ ତୁଟାଇଛନ୍ତି । ପୁରୁଣା ଘର ମମତା ବାନାର୍ଜୀଙ୍କ ପାଖକୁ ଫେରି ଆସିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିଜେପିରେ କେହି ରହିପାରିବେନି ବୋଲି ମୁକୁଲ କହିଛନ୍ତି । ତାଙ୍କ ପୁଅ ଶୁଭା୍ରଂଶୁ ମଧ୍ୟ ଟିଏମସି ଫେରିଛନ୍ତି । ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସ୍ୱାଗତ କରିଛନ୍ତି ।
ଆଜି ଅପରାହ୍ନ ସାଢ଼େ ଦୁଇଟାରେ ମୁକୁଲ ତାଙ୍କ ବାସଭବନରୁ ବାହାରି ସିଧା ଆସିଥିଲେ ତୃଣମୂଳ ଭବନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ମଧ୍ୟ ସେଠି ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା ହେବା ପରେ ଅପରାହ୍ନ ୪.୩୦ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ ଫେରିଥିବା ମୁକୁଲ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ଅଭିଷେକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁକୁଲଙ୍କ ରାଜନୈତିକ ଆଦର୍ଶ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିବାକୁ ସେ କାହିଁକି ବିଜେପି ଛାଡ଼ିଲେ ପରେ କହିବେ ବୋଲି କହିଥିଲେ ।
ତେବେ ମମତା କିନ୍ତୁ ଏହାର ରୋକଠୋକ ଜବାବ ଦେଇଥିଲେ । କହିଥିଲେ, ମୁକୁଲ ବିଜେପି ପାଇଁ ପ୍ରଚାର କରୁଥିଲେ ମଧ୍ୟ ତୃଣମୂଳ ବିରୋଧରେ କହିନାହାନ୍ତି । ବିଜେପି ଦ୍ୱାରା ଭୟଭୀତ ହୋଇ ସେ ବିଜେପିକୁ ଯାଇଥିଲେ । ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଲା । ତେବେ ଆଦର୍ଶ କଥା କୁହନାହିଁ । ମୁଁ ବିଜେପି ମିଡ଼ିଆକୁ ଏଥିରେ ସନ୍ତୁଷ୍ଟ କରିପାରିବି ନାହିଁ । ବିଜେପି ବାଲା ତୃଣମୂଳକୁ କାହିଁକି ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ପଚାର । ବିଜେପି ଯାହା କରୁଛି ଆମେ କରିବୁ ନାହିଁ ବୋଲି ମମତା କହିଥିଲେ । ବିଜେପିରୁ ଆହୁରି ଅନେକ ନେତା ତୃଣମୂଳ ଫେରିଆସିବା ଏକ ପ୍ରଶ୍ନରେ ମମତା ସ୍ପଷ୍ଟ କରିଥିଲେ ଯେ ଯେଉଁମାନେ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିକୁ ଯାଇଛନ୍ତି ସେମାନଙ୍କୁ ଦଳରେ ଗ୍ରହଣ କରାଯିବ ନାହିଁ ।
ସୂଚନାଥାଉକି, ତୃଣମୂଳ କଂଗ୍ରେସରେ ଏକଦା ସେକେଣ୍ଡ ଇନ୍ କମାଣ୍ଡ ଥିଲେ ମୁକୁଲ ରାୟ । ମମତା ତାଙ୍କୁ ରାଜ୍ୟସଭା ପଠାଇବା ସହ ଉପା ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ରମନ୍ତ୍ରୀ କରାଇଥିଲେ । ମମତାଙ୍କର ଏହି ଘନିଷ୍ଠ ସହଯୋଗୀ ପରବର୍ତ୍ତୀ ସମୟରେ ଶାରଦା ଏବଂ ନାରଦା ଲାଞ୍ଚ ମାମଲାରେ ଫସିବା ପରେ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା ।
ତେବେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ମୁକୁଲ ଏହି ଦଣ୍ଡ ସହିବାକୁ ପ୍ରସ୍ତୁତ ନ ଥିଲେ । ୨୦୧୭ ନଭେମ୍ବରରେ ସେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗରୁ ମମତାଙ୍କୁ ହଟାଇବା ପାଇଁ ବିଜେପିର ମୁଖ୍ୟ ଅସ୍ତ୍ର ହୋଇଥିଲେ ମୁକୁଲ । ଗତବର୍ଷ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦରେ ନିଯୁକ୍ତି ଦିଆଯାଇଥିଲା । ଗତ ବିଧାନସଭା ନିର୍ବାଚନରେ ମମତାଙ୍କ ବିରୋଧରେ ବିଜେପିର ପ୍ରଚାର ରଣନୀତି ପ୍ରସ୍ତୁତ କରିଥିଲେ ମୁକୁଲ । ନଦିଆ ଜିଲ୍ଲା କ୍ରିଷ୍ଣନଗର ଉତ୍ତର ଆସନରୁ ନିଜେ ନିର୍ବାଚନ ଲଢ଼ି ଜିତିଥିଲେ ।
ତେବେ ନିର୍ବାଚନ ପରେ ମୁକୁଲଙ୍କ ହାବଭାବ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳ ନେତା କରିବା ତାଙ୍କ ପାଇଁ ଅସହ୍ୟ ଥିଲା ବୋଲି କୁହାଯାଉଛି । ଇତିମଧ୍ୟରେ ମୁକୁଲଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲା ବେଳେ ଟିଏମସିର ସେକେଣ୍ଡ ଇନ କମାଣ୍ଡ ତଥା ମମତାଙ୍କ ପୁତୁରା ଅଭିଷେକ ତାଙ୍କୁ ଦେଖିବାକୁ ଯାଇଥିଲେ । ଯାହା ହଟଚମଟ ସୃଷ୍ଟି କରିଥିଲା । ନିକଟରେ ଅନୁଷ୍ଠିତ ରାଜ୍ୟ ବିଜେପିର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକକୁ ମୁକୁଲ ଆସି ନଥିବାରୁ ସେ ଟିଏମସି ଫେରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିଥିଲା ।